Categories: ଜାତୀୟ

ଜୁନ ୧୨ରେ ବିହାରରେ ବିରୋଧୀଙ୍କ ମହାବୈଠକ…

କୋଲକାତା,,୨୮।୫ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ପାଟନାରେ ଜୁନ ୧୨ ରେ ଭାଜେପା ବିରୋଧୀ ଦଳ ଗଠନ ପାଇଁ ଏକ ମହାବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମମତା ବାନାର୍ଜୀଙ୍କ ସମେତ ଅନ୍ୟ ବିରୋଧୀ ଦଳର ନେତାମାନେ ଅଂଶଗ୍ରହଣ କରିବେ। ଏହାପୂର୍ବରୁ ଏହା ନିଶ୍ଚିତ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ନୀତି ଆୟୋଗ ବୈଠକରେ ଯୋଗଦେବା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୀତୀଶ କୁମାରଙ୍କୁ ଭେଟିବେ। ଶନିବାର ଦିଲ୍ଲୀରେ ନୀତି ଆୟୋଗ ବୈଠକ ଅନୁଷ୍ଠିତ ହୋଇଥିଲା, କିନ୍ତୁ ମମତା ବାନାର୍ଜୀଙ୍କ ସମେତ ୧୧ ଜଣ ମୁଖ୍ୟମନ୍ତ୍ରୀ ଏହି ସଭାରେ ଯୋଗ ଦେଇ ନ ଥିଲେ। ତେବେ ମମତା ବାନାର୍ଜୀ ଦିଲ୍ଲୀ ନ ଯିବା ସତ୍ତ୍ୱେ ପାଟନା ଯିବା ଯୋଜନାରେ କୌଣସି ପରିବର୍ତ୍ତନ ହୋଇନାହିଁ। ସେ ୧୨ ଜୁନରେ ପାଟନାରେ ବିରୋଧୀ ଦଳର ବୈଠକରେ ଯୋଗଦେବେ।

ଟିଏମସି ସୂତ୍ର ଅନୁଯାୟୀ, ଜୁନ ୧୨ ରେ ବିହାରରେ ଭାଜପା ବିରୋଧୀ ଦଳର ଏକ ବୈଠକ ଅନୁଷ୍ଠିତ ହେଉଛି। ସେହି ସଭାରେ ଯୋଗଦେବା ପାଇଁ ମମତା ବାନାର୍ଜୀ ୧୧ ତାରିଖ କୋଲକାତା ଛାଡି ପାଟନା ଅଭିମୁଖେ ଯାଉଛନ୍ତି। ଏହି ବୈଠକର ଆୟୋଜକମାନେ ହେଉଛନ୍ତି ଆରଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ। ପାଟଣାର ସମସ୍ତ ଭାଜପା ବିରୋଧୀ ରାଜନୈତିକ ଦଳ ଏହି ସଭାରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଏହା ସହିତ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ଫାରୁକ ଅବଦୁଲ୍ଲା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ, ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି।

 

Share