ରାଖୀ ପୂର୍ଣ୍ଣିମାରେ ଭଉଣୀକୁ କିଡ୍‌ନୀ ଦେଲେ ଭାଇ

ନୂଆଦିଲ୍ଲୀ, ୨୩ା୮: ରାଖୀ ପୂର୍ଣ୍ଣିମାରେ ଭଉଣୀକୁ ଉପହାରରେ ନୂଆ ଜୀବନ ଦେଇଛନ୍ତି ଭାଇ। କିଡ୍‌ନୀଜନିତ ରୋଗରେ ପୀଡ଼ିତ ଭଉଣୀକୁ ତାଙ୍କ ସାନଭାଇ ନିଜର ଏକ କିଡ୍‌ନୀ ଦାନ କରି ଜୀବନ ରକ୍ଷା କରିଛନ୍ତି। ସୂଚନା ମୁତାବକ, ହରିୟାଣା ରୋହତକ୍‌ର ଜଣେ ୩୧ ବର୍ଷୀୟା ମହିଳା ୫ ବର୍ଷ ହେଲା କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କିଡ଼୍‌ନୀ ରୋଗ ସମେତ ସେ ଟିବିରେ ଆକ୍ରାନ୍ତ ହେବା ସହ ତାଙ୍କ ହୃତ୍‌ପିଣ୍ଡ ଦୁର୍ବଳ ହେବା ଯୋଗୁ ଫୁସ୍‌ଫୁସ୍‌ରେ ପାଣି ଜମା ହୋଇଯାଇଥିଲା। ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ସୁଧୁରିବାରୁ ଡାକ୍ତର ତାଙ୍କୁ କିଡ୍‌ନୀ ପ୍ରତିରୋପଣ ପାଇଁ ପରାମର୍ଶ ଦେଇଥିଲେ। ତାଙ୍କ ସ୍ବାମୀଙ୍କ ସହ ରକ୍ତ ଗ୍ରୁପ୍‌ ମ୍ୟାଚ୍‌ ନ କରିବାରୁ ସେ କିଡ୍‌ନୀ ଦେଇପାରି ନ ଥିଲେ। ପରେ ତାଙ୍କ ସାନଭାଇଙ୍କ ବ୍ଲଡ୍‌ଗ୍ରୁପ୍‌ ମ୍ୟାଚ୍‌ କରୁଥିବା ଜଣାପଡ଼ିବା ପରେ ସେ ଭଉଣୀକୁ କିଡ୍‌ନୀ ଦେଇଥିଲେ। ଏହି ପ୍ରତିରୋପଣ ସଫଳ ହୋଇଥିବା ଦ୍ୱାରକାସ୍ଥିତ ଆକାଶ ହେଲ୍‌ଥ କେୟାର ଡାକ୍ତର କହିଛନ୍ତି।

Share