୧୬ରେ ରାଜ୍ୟବ୍ୟାପୀ ଭେଣ୍ଡିଂଜୋନ୍‌, ଉଠାଦୋକାନ ବନ୍ଦ

ଭୁବନେଶ୍ୱର, ୧୩।୨(ବନ୍ଦନା ସେଠୀ): ଆସନ୍ତା ୧୬ ତାରିଖରେ ହେବାକୁ ଥିବା ସର୍ବଭାରତୀୟ ଧର୍ମଘଟକୁ ସମର୍ଥନ ଜଣାଇ ସମ୍ପୃକ୍ତ ଦିନ ପ୍ରାତଃ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଭେଣ୍ଡିଂଜୋନ୍‌ ଓ ଉଠାଦୋକାନ ବନ୍ଦ ରହିବ। ଏନେଇ ନ୍ୟାଶନାଲ ହକର୍‌ ଫେଡେରେଶନ ପକ୍ଷରୁ ସୋମବାର ଇନ୍ଦିରାଗାନ୍ଧୀ ପାର୍କ ନିକଟରେ ଆୟୋଜିତ ରାଜ୍ୟ କମିଟି ବୈଠକରେ ସୂଚନା ଦିଆଯାଇଛି। ଏଥିରେ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନମାନଙ୍କ ସଂଯୁକ୍ତ ମୋର୍ଚ୍ଚା, ସ୍ବାଧୀନ ଫେଡ଼େରେଶନ ଆଦି ପକ୍ଷରୁ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ବନ୍ଦକୁ ସମର୍ଥନ ଓ ସଫଳ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିସହ ସଭା, ଶୋଭାଯାତ୍ରା ଓ ପିକେଟିଂ ମାଧ୍ୟମରେ ପ୍ରତିବାଦ ଜାରି ରହିବ ବୋଲି ନ୍ୟାଶନାଲ୍‌ ହକର୍‌ ଫେଡେରେଶନର ରାଷ୍ଟ୍ରୀୟ ଅତିରିକ୍ତ ସାଧାରଣ ସମ୍ପାଦକ ଜୟନ୍ତ ଦାସ ଏବଂ ଜାତୀୟ ସମ୍ପାଦକ ତଥା ଓଡ଼ିଶା ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ କୁମାର ସାହୁ କହିଛନ୍ତି। ବୈଠକରେ ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ, ଓଡ଼ିଶା ପଥ ବିକ୍ରେତା ସଂଘ, ରାଉରକେଲା ଉଠାଦୋକାନୀ ମହାସଂଘ, କଟକ ଉଠାଦୋକାନୀ ମହାସଂଘ, ସମ୍ବଲପୁର ଉଠାଦୋକାନୀ ମହାସଂଘ, ବ୍ରହ୍ମପୁର ଉଠାଦୋକାନୀ ମହାସଂଘ, କୋଣାର୍କ ଉଠାଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀ ସଂଘ, ଅଲ୍‌ଇଣ୍ଡିଆ ମହିଳା ଉଠାଦୋକାନୀ ସଂଘ ଏବଂ ଅଲ୍‌ଇଣ୍ଡିଆ ଯୁବ ଉଠାଦୋକାନୀ ସଂଘର କର୍ମକର୍ତ୍ତା ଯୋଗଦେଇଥିଲେ।

Share