ବିଜେଡିକୁ ୨୩ ପୂରିବ

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ):ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳ (ବିଜେଡି) ୨୩ ବର୍ଷ ପୂରଣ କରି ୨୪ରେ ପଦାର୍ପଣ କରିବ। ତେଣୁ ପ୍ରତିଷ୍ଠା ଦିବସ ପାଳନ ପାଇଁ ବଡ଼ଧରଣର ପ୍ରସ୍ତୁତି ଚାଲିଛି। ଏହାପୂର୍ବରୁ ୨୦ ତାରିଖରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ୨୧ରେ ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ କରାଯିବ। ରାଜ୍ୟ କାର୍ଯ୍ୟାଳୟରେ ହେବାକୁ ଥିବା ଏହି ଦୁଇ ବୈଠକରେ ଦଳର ସାଙ୍ଗଠନିକ, ରାଜନୈତିକ ଓ ଅର୍ଥନୈତିକ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏଥିରେ ସମସ୍ତ ବିଧାୟକ, ଏମ୍‌ପି ଓ ରାଜ୍ୟ ପରିଷଦ ସଦସ୍ୟମାନେ ଯୋଗଦେବେ। ଦଳର ବିଭିନ୍ନ ପ୍ରସଙ୍ଗ ଉପରେ ଚିଠା ପ୍ରସ୍ତାବ ଗ୍ରହଣ କରାଯିବ। ମୁଖ୍ୟତଃ ସାଙ୍ଗଠନିକ ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଆଗାମୀ ଦିନରେ ଦଳର ରୂପରେଖ କିଭଳି ରହିବ, କେଉଁ କେଉଁ ସାଙ୍ଗଠନିକ କାର୍ଯ୍ୟକ୍ରମ ହେବ ଓ ଏଥିପାଇଁ କିଭଳି ପ୍ରସ୍ତୁତି କରାଯିବ ସେନେଇ ଆଲୋଚନା ହେବ। ସଙ୍ଗଠନକୁ ତୃଣମୂଳ ସ୍ତରରୁ ଆହୁରି ସୁଦୃଢ଼ କରିବା ପାଇଁ ସଦସ୍ୟମାନଙ୍କ ପ୍ରସ୍ତାବକୁ ମଧ୍ୟ ଗ୍ରହଣ କରାଯିବ। ନବ ନିର୍ବାଚିତଙ୍କୁ ଦାୟିତ୍ୱ ମଧ୍ୟ ବଣ୍ଟନ କରାଯିବ। ରବିବାର ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସବର୍ମା ଓ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏହି ସୂଚନା ଦେଇଛନ୍ତି। ରାଜ୍ୟ ସଙ୍ଗଠନ ସମେତ ଜିଲା, ନିର୍ବାଚନମଣ୍ଡଳୀ, ପୌରାଞ୍ଚଳ ଓ ବ୍ଲକ୍‌ ସ୍ତରରେ ଦଳର ପ୍ରତିଷ୍ଠା ଦିବସକୁ କୋଭିଡ୍‌ ଗାଇଡ୍‌ଲାଇନ୍‌ ସହ ପାଳନ କରାଯିବ ବୋଲି ସୂଚନା ଦିଆଯାଇଛି।

 

Share