ବିବାହ ଦିନ ଜଣାପଡ଼ିଲା ବର-କନ୍ୟା,ଭାଇ-ଭଉଣୀ

ବେଜିଂ,୬।୪: ଚାଇନାରେ ଆୟୋଜିତ ହୋଇଥିବା ଏକ ବିବାହ ସମାରୋହରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକି କେହି କଳ୍ପନା ମଧ୍ୟ କରିପାରିବେ ନାହିଁ। ବିବାହ ଦିନ ବର ଓ କନ୍ୟା ଉଭୟ ଭାଇ ଭଉଣୀ ବୋଲି ଜଣାପଡ଼ିବା ସତ୍ତ୍ୱେ ତାଙ୍କର ବିବାହ ଅନୁଷ୍ଠିତ ହୋଇଥିଲା। ଏଥିସହ ୨୦ ବର୍ଷ ତଳେ ହଜିଯାଇଥିବା ଝିଅକୁ ଫେରିପାଇଲେ ମା’। ଦୀର୍ଘ ସମୟ ପରେ ଝିଅକୁ ପାଇ ମା’ଙ୍କ ଖୁସି କହିଲେ ନ ସରେ। ସେ ଖୁସିରେ ଏତେ ବିଭୋର ହୋଇଯାଇଥିଲେ ଯେ, ବିବାହ ସମାରୋହରେ କାନ୍ଦିପକାଇଥିଲେ। ଏହି ଘଟଣାଟି ହେଉଛି ଚାଇନାର ଜିଆଙ୍ଗସୁର ସୋଝାଓ ଅଞ୍ଚଳର। ସୂଚନାଯୋଗ୍ୟ, ସୋଝାଓ ଅଞ୍ଚଳରେ ଜଣେ ବର କନ୍ୟାଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ହେଲେ ସେହି ସମୟରେ ଉଭୟ ଭାଇ ଭଉଣୀ ବୋଲି ଜାଣିବାକୁ ପାଇଥିଲେ। ଘଟଣାଟି ହେଉଛି, ବିବାହ ସମୟରେ ବରଙ୍କ ମା’ ନିଜ ବୋହୂଙ୍କୁ ଦେଖିବାକୁ ଇଛା ପ୍ରକାଶ କରିଥିଲେ। ସେହି ସମୟରେ ବୋହୂଙ୍କ ହାତରେ ଥିବା ଜନ୍ମ ସମୟର ଏକ ଚିହ୍ନକୁ ଦେଖି ସେ ଆାଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏଥିସହ ନିଜ ହଜିଯାଇଥିବା ଝିଅକୁ ଚିହ୍ନିପାରିଥିଲେ। ଉକ୍ତ ଚିହ୍ନକୁ ଦେଖି ସଙ୍ଗେ ସଙ୍ଗେ ସେ କନ୍ୟାଙ୍କ ପାଳିତ ମାତାପିତାଙ୍କୁ ତାଙ୍କ ବିଷୟରେ ପଚାରିବୁଝିଥିଲେ। ତେବେ ସେହି ସମୟରେ ଜଣାପଡ଼ିଥିଲା ଯେ, ଉକ୍ତ ଯୁବତୀଙ୍କୁ ସେ ୨୦ ବର୍ଷ ତଳେ ରାସ୍ତା କଡ଼ରୁ ପାଇଥିଲେ। ଏହାପରେ ସମସ୍ତ ସତ୍ୟାସତ୍ୟ ସାମ୍ନାକୁ ଆସିଥିଲା ଏବଂ ଜନ୍ମିତ ମା’ ଝିଅଙ୍କ ମିଳନ ହୋଇଥିଲା। କିଛି ସମୟ ପାଇଁ ଉକ୍ତ ସମାରୋହରେ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା। ଅନ୍ୟପଟେ ଉଭୟ କନ୍ୟା ବର ଭାଇ ଭଉଣୀ ହେବା ସତ୍ତ୍ୱେ ମଧ୍ୟ ତାଙ୍କ ମା’ ଏହି ବିବାହରେ ଅରାଜି ହୋଇ ନ ଥିଲେ। କାରଣ ଝିଅ ହଜିଯିବା ପରେ ସେ ଉକ୍ତ ଯୁବକଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ।

 

 

Share