ପ୍ରଥମ ଦିନରେ ୭୯ ପ୍ରତିଶତ ନେଲେ ଟିକା

ଭୁବନେଶ୍ୱର,୧୬।୧: ରାଜ୍ୟରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଶନିବାର ଆରମ୍ଭ ହୋଇଯାଇଛି। ୧୬୧ଟି ଟିକାଦାନ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ୧୬୩୩୦ ଜଣ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଥିବା ବେଳେ ୧୨୯୪୧ଜଣ ଅର୍ଥାତ ୭୯ ପ୍ରତିଶତ ଟିକା ନେଇଛନ୍ତି। ପୂର୍ବାହ୍ନ ସାଢେ ୧୦ଟାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭରଚୁଆଲ ମାଧ୍ୟମରେ ଟିକାକରଣ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମାଧ୍ୟମରେ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ଟିକା ନେଇଥିବା ସଫାଇ କର୍ମଚାରୀ ବରଞ୍ଚି ନାୟକ, ସୁନ୍ଦରଗଡ଼ର ଜଣେ ଷ୍ଟାଫ୍‌ ନର୍ସ ଏବଂ ଗଞ୍ଜାମର ଜଣେ ଡାକ୍ତରଙ୍କ ସହ କଥା ହୋଇଥିଲେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଝାରସୁଗୁଡ଼ାରୁ ସ୍ବାଗତ ଭାଷଣ ଦେଇଥିଲେ। ରାଜ୍ୟ ମୁଖ୍ୟ ଶାସନ ସଚବି ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଅତରିକ୍ତ ମୁଖ୍ୟ ଶାସନ ସଚବି(ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ) ପ୍ରଦୀପ କୁମାର ମହାପାତ୍ର ଧନ୍ୟବାଦ ଅପର୍ପଣ କରିଥିଲେ। ପୂର୍ବାହ୍ନ ୧୧ଟାରେ ବିଭିନ୍ନ ଟିକା କେନ୍ଦ୍ରରେ ଟିକାଦାନ ଆରମ୍ଭ ହୋଇଥିଲା। ଭୁବନେଶ୍ୱର ପୌରାଞ୍ଚଳର ୬ଟି ଟିକାଦାନ କେନ୍ଦ୍ରରେ ୬୦୦ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଥିଲା। ସେହପିରି କଟକର ୨ଟି କେନ୍ଦ୍ରରେ ଟିକା ଦେବାର ବ୍ୟବସ୍ଥା ହୋଇଥିଲା। ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରାଜ୍ୟ ମେଡିକାଲ ଶିକ୍ଷା ଓ ତାଳିମ ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି, ଅଖିଳ ଭାରତ ଆୟୁରବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡାକ୍ତର ଗୀତାଞ୍ଜଳି ବତ୍ମାନାବେନ, କମିସ୍‌ର ନିର୍ଦ୍ଦେଶକ ଡାକ୍ତର ପ୍ରଦୀପ କୁମାର ପଟ୍ଟନାୟକ, ଶୀରାମଚନ୍ଦ୍ରଭଞ୍ଜ ମେଡିକାଲ କେଲଜର ଭେଷଜ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ କୁମାର ପଣ୍ଡା, ଯକ୍ଷ୍ମା ଓ ଛାତି ରୋଗ ବଭାଗ ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଡାକ୍ତର ମନୋରଞ୍ଜନ ପଟ୍ଟନାୟକ, କ୍ୟାପିଟାଲ ହସ୍ପିିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁଙ୍କ ସହ ଅନ୍ୟ କର୍ମଚାରୀ ପ୍ରମୁଖ ଟିକା ନେଇଥିଲେ। ଟିକା ନେବା ପରେ ସମସ୍ତେ ସୁସ୍ଥ ଅନୁଭବ କରିବା ସହ ଯନ୍ତ୍ରଣା ବିହୀନ ଓ ନିରାପଦ ବୋଲି ମତ ପ୍ରକାଶ କରିଛନ୍ତି।

Share