ପ୍ରଥମ ଦିନରେ ୮୦ ହଜାର ନେଲେ ଟିକା

ଭୁବନେଶ୍ୱର, ୪।୧(ବ୍ୟୁରୋ): ସାରା ଦେଶରେ ସୋମବାରଠାରୁ ୧୫ରୁ ୧୮ ବର୍ଷ ପିଲାଙ୍କର ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଦେଶରେ ପ୍ରାୟ ୧୬ଲକ୍ଷରୁ ଊର୍ଦ୍ଧ୍ୱ ପିଲା ଟିକା ନେଇଛନ୍ତି। ଟିକାକରଣ ପାଇଁ ଗତ ୧ ତାରିଖରୁ ପଞ୍ଜୀକରଣ ଆରମ୍ଭ ହୋଇଥିଲା। ଦେଶରେ ଏହି ବର୍ଗର ୭କୋଟି ୫୦ଲକ୍ଷ ପିଲା ଟିକା ନେବାକୁ ଯୋଗ୍ୟ ହୋଇଥିବାବେଳେ ପ୍ରାୟ ୨୭ଲକ୍ଷ ପଞ୍ଜୀକରଣ କରିଥିଲେ। ଏଥିମଧ୍ୟରୁ ୧୬ଲକ୍ଷରୁ ଊର୍ଦ୍ଧ୍ୱ ପିଲା ଟିକା ନେଇଥିବା କୋଓ୍ବିନ୍‌ ପୋର୍ଟାଲରୁ ସୂଚନା ମିଳିଛି। ସେହିପରି ଓଡ଼ିଶାରେ ୮୦,୧୨୯ ଜଣ ପିଲା ଟିକା ନେଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ସବୁ ବର୍ଗର ମୋଟ ୨,୮୬,୬୪୦ ଜଣଙ୍କର ଟିକାକରଣ ହୋଇଛି। ଏଥିମଧ୍ୟରେ ୧,୫୬,୮୯୦ ଜଣଙ୍କୁ କୋଭିଶିଲ୍ଡ ଏବଂ ୧,୨୯,୭୫୦ ଜଣଙ୍କୁ କୋଭାକ୍ସିନ୍‌ ଟିକା ଦିଆଯାଇଛି। ତେବେ ପିଲାମାନଙ୍କୁ କେବଳ କୋଭାକ୍ସିନ୍‌ ଟିକା ଦିଆଯାଇଥିଲା।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ରାଜ୍ୟରେ ସୋମବାର ୩,୨୦୪ ଟିକାକେନ୍ଦ୍ରରେ ଟିକାକରଣ ହୋଇଥିଲା। କେବଳ ୯୩୯ଟି ସ୍ବତନ୍ତ୍ର କେନ୍ଦ୍ରରେ ପିଲାଙ୍କ ଟିକାକରଣ କରାଯାଇଥିଲା। ପୂର୍ବରୁ ଯେଉଁଠାରେ ଟିକା ଦିଆଯାଉଥିଲା ସେଠାରେ ମଧ୍ୟ ପିଲାଙ୍କୁ ଟିକା ଦିଆଯାଇଥିଲା। ପୂର୍ବାହ୍ନ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପିଲାଙ୍କୁ ଟିକା ଦିଆଯାଇଥିଲା। ଅନ୍ୟମାନଙ୍କୁ ଅପରାହ୍ନରେ ଟିକା ଦିଆଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୦୭ କିମ୍ବା ତା’ ପୂର୍ବରୁ ଯେଉଁ ପିଲା ଜନ୍ମ ହୋଇଛନ୍ତି ସେମାନେ ଟିକା ନେବା ପାଇଁ ଯୋଗ୍ୟ। ଯୋଗ୍ୟ ହିତାଧିକାରୀମାନେ କୋଓ୍ବିନ୍‌ ପୋର୍ଟାଲରେ ନାମ ପଞ୍ଜୀକରଣ କରିବେ। ଆଧାର କାର୍ଡ ନ ଥିଲେ ସ୍କୁଲ ଆଇ କାର୍ଡ ଦେଖାଇ ମଧ୍ୟ ପଞ୍ଜୀକରଣ କରିପାରିବେ। ଏଥିସହ ଟିକାକେନ୍ଦ୍ରରେ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଥିଲେ। ରାଜ୍ୟରେ ଏକ ମାସ ଭିତରେ ପିଲାଙ୍କ ପ୍ରଥମ ଡୋଜ୍‌ ଟିକାକରଣ ଶେଷ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି।

Share