Categories: ଜାତୀୟ

ଅଯୋଧ୍ୟା ଯାତ୍ରା ନେଇ ରାଜ୍‌ ଠାକ୍‌ରେ-ଅଠାଓ୍ବଲେ ମୁହାଁମୁହିଁ…

ଠାଣେ, ୧୭।୫ : କେନ୍ଦ୍ର ମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ (ଆରପିଆଇ-ଏ) ମୁଖ୍ୟ ରାମଦାସ ଅଠାୱାଲେ କହିଛନ୍ତି ଯେ ଆସନ୍ତା ମାସରେ ଉତ୍ତରପ୍ରଦେଶର ଅଯୋଧ୍ୟା ଗସ୍ତ ପୂର୍ବରୁ ମହାରାଷ୍ଟ୍ର ନବନିର୍ମାଣ ସେନା ଅଧ୍ୟକ୍ଷ ରାଜ ଠାକ୍‌ରେ ଉତ୍ତର ଭାରତୀୟଙ୍କ ନିକଟରେ କ୍ଷମା ମାଗନ୍ତୁ। ଏହାପୂର୍ବରୁ ଭାଜପା ଏମ୍‌ପି ବ୍ରିଜ ଭୂଷଣ ଶରଣ ସିଂ କହିଥିଲେ ଯେ ଯଦି ରାଜ ଠାକ୍‌ରେ ଉତ୍ତର ଭାରତୀୟଙ୍କୁ ଅପମାନିତ କରିଥିବା ନେଇ କ୍ଷମା ନ ମାଗନ୍ତି, ତେବେ ତାଙ୍କୁ ଉତ୍ତରପ୍ରଦେଶରେ ପ୍ରବେଶ କରିବାକୁ ଦିଆଯିବ ନାହିଁ।

ରାଜ ଠାକ୍‌ରେଙ୍କ ପାର୍ଟି ମହାରାଷ୍ଟ୍ର ନବନିର୍ମାଣ ସେନା ୨୦୦୮ ରେ ଉତ୍ତର ଭାରତୀୟଙ୍କ ବିରୋଧରେ ପ୍ରଚାର କରିଥିଲେ ଏବଂ ମହାରାଷ୍ଟ୍ରରେ ’ମରାଠୀ ମାନସ’କୁ ସମର୍ଥନ କରି ଏହି ଆନ୍ଦୋଳନ ଆରମ୍ଭ କରିଥିଲେ। ସେହି ସମୟରେ ଉତ୍ତର ଭାରତୀୟମାନଙ୍କୁ ବହୁ ସ୍ଥାନରେ ଟାର୍ଗେଟ କରାଯାଇଥିଲା। ରେଳବାଇ ପରୀକ୍ଷା ଦେବାକୁ ମୁମ୍ବାଇର କଲ୍ୟାଣରେ ପହଞ୍ଚିଥିବା ଉତ୍ତର ଭାରତର ପ୍ରାର୍ଥୀମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

ମହାରାଷ୍ଟ୍ରର ମସଜିଦରୁ ଲାଉଡ ସ୍ପିକର ହଟାଇବାକୁ ଦାବି କରି ନିକଟରେ ଚର୍ଚ୍ଚାରେ ରହିଥିବା ରାଜ ଠାକ୍‌ରେ ଜୁନ୍‌ ୫ରେ ଅଯୋଧ୍ୟା ପରିଦର୍ଶନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ତାଙ୍କ ଗସ୍ତକୁ ନେଇ ବିରୋଧ ଆରମ୍ଭ ହୋଇଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାର ଗଠନ ପାଇଁ କଂଗ୍ରେସ ଏବଂ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ସହିତ ମେଣ୍ଟ କରି ଶିବସେନା ଏକ ଗୁରୁତର ଭୁଲ କରିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

Share