Categories: ଖେଳ

ଦ୍ୱିତୀୟ ଦିବସରେ ଓଡ଼ିଶାକୁ ୩ ରୌପ୍ୟ, ୧ ବ୍ରୋଞ୍ଜ

ଭୁବନେଶ୍ୱର, ୪।୩ (କ୍ରୀଡ଼ା ପ୍ରତିନିଧି): ସ୍ଥାନୀୟ କିଟ୍‌ ଷ୍ଟାଡିୟମରେ ଚାଲିଥିବା କର୍ମଚାରୀ ଭବିଷ୍ୟନିଧି ସଂଗଠନ ସର୍ବଭାରତୀୟ ଆଥଲେଟିକ୍‌ ଓ ଇନ୍‌ଡୋର କ୍ରୀଡ଼ାର ଦ୍ୱିତୀୟ ଦିବସରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଦଳଗତ ଚାମ୍ପିୟନ ପାଇଁ କର୍ନାଟକ ଓ ମହାରାଷ୍ଟ୍ର ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ବ୍ୟକ୍ତିଗତ ଇଭେଣ୍ଟରେ ମହାରାଷ୍ଟ୍ର, କର୍ନାଟକ ଓ ତାମିଲନାଡ଼ୁ ପ୍ରତିଯୋଗୀମାନେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା କ୍ରୀଡ଼ାବିତ୍‌ଙ୍କ ମଧ୍ୟରୁ ଜାଭେଲିନ ଥ୍ରୋରେ ଦେବୀ ପ୍ରସାଦ ପୁହାଣ ରୌପ୍ୟ, ଡିସ୍‌କସ୍‌ ଥ୍ରୋରେ ରାଜଶ୍ରୀ ଜେନା ରୌପ୍ୟ, ୪୦୦ ମିଟର ରେସ୍‌ରେ ଆଶାଲତା ସାହାଣୀ ରୌପ୍ୟ ଏବଂ ୨୦୦ ମିଟର ରେସ୍‌ରେ ସତ୍ୟବତୀ ଚାଟାର୍ଜୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଭୁବନେଶ୍ୱରର ଆଞ୍ଚଳିକ କ୍ରୀଡ଼ା ପ୍ରୋତ୍ସାହକ ପରିଷଦ (ଆରଏସ୍‌ପିବି) ପକ୍ଷରୁ ଉପସଭାପତି ତଥା କ୍ଷେତ୍ରୀୟ ଭବିଷ୍ୟନିଧି ଆୟୁକ୍ତ-୧ ପୁର୍ଣ୍ଣେନ୍ଦୁ ଭୂଷଣ ବର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତିଯୋଗିତାମାନ ଆୟୋଜିତ ହେଉଛି। ଶନିବାର ପ୍ରତିଯୋଗିତା ଶେଷ ହେବ।

Share