Advertisement
Categories: ନୟାଗଡ଼

ଦ୍ୱିତୀୟ ଦିନରେ ନଛିପୁରରେ ଧୂମଧାମ୍‌ରେ ଚାଲିଛି ରଜପର୍ବ

ନୟାଗଡ଼,୧୫ା୬(ଲୋକନାଥ ମିଶ୍ର): ଓଡ଼ିଶାର ଲୋକ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାର ନିଚ୍ଛକ ପ୍ରୟାସ ସ୍ବରୂପ ନୟାଗଡ଼ ଜିଲା, ଇକିରି ପଞ୍ଚାୟତର ନଛିପୁରରେ ପ୍ରତିବର୍ଷ ବେଶ୍‌ ଧୁମ୍‌ଧାମ୍‌ରେ ପାଳିତ ହେଉଛି ରଜପର୍ବ। ଚଳିତ ବର୍ଷ ମଧ୍ୟ ରଜ ମଉଜ ଆରମ୍ଭ ହୋଇଯାଇଛି। ପହିଲି ରଜ ଅବସରରେ ଝୋଟି, ଲେମନ୍‌ ସ୍ପୁନ୍‌, ପାନଭଙ୍ଗା, ବିସ୍କୁଟ ଖାଇବା, ମ୍ୟୁଜିକ ଚେୟାର, ପୁଚି ଓ ହୁଳହୁଳି ପ୍ରତିଯୋଗିତା ଆୟୋଜନ ହୋଇଥିଲା। ତା’ସହ ମାଠିଆ ଭଙ୍ଗା ପ୍ରତିଯୋଗିତା ଥିଲା ଅନ୍ୟତମ ମୁଖ୍ୟ ଆକର୍ଷଣ। ଗାଁ ଝିଅମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ବି କରାଯାଇଥିଲା।

ଏଥିରେ ନୟାଗଡ଼ ବିଧାୟକ ଡ଼. ଅରୁଣ ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କହିଛନ୍ତି ଯେ, ନଛିପୁରର ରଜ ଉତ୍ସବ ଓଡ଼ିଶାରେ ସ୍ବତନ୍ତ୍ର। ଆଜି ରଜ ସଂକ୍ରାନ୍ତି ଅବସରରେ ସନ୍ଧ୍ୟାରେ ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ। ନଛିପୁରର ଆଲୋକ ଜ୍ୟୋତି ୟୁଥ୍‌ ପାଓ୍ବାର କ୍ଲବ ଓ ଗ୍ରାମବାସୀ ମିଳିତଭାବେ ଏହି ରଜ କାର୍ଯ୍ୟକ୍ରମ ଆୟୋଜନ କାର୍ଯ୍ୟ ତୁଲାଇଥାନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel