ତୃତୀୟ ଦିନରେ ମହାନଦୀ ଟ୍ରିବ୍ୟୁନାଲର ୨ ଜିଲା ଗସ୍ତ

ସମ୍ବଲପୁର/ସୁନ୍ଦରଗଡ଼,୨୩ା୫(ବ୍ୟୁରୋ/ଡି.ଏନ.ଏ.): ମହାନଦୀ ଜଳ ବିବାଦକୁ ନେଇ ଗଠିତ ହୋଇଥିବା ଟ୍ରିବ୍ୟୁନାଲ ଟିମ୍‌ ସୋମବାର ତୃତୀୟ ଦିନରେ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲା ଗସ୍ତ କରିଛନ୍ତି। ସକାଳେ ଟିମ୍‌୍‌ ସଦସ୍ୟ ବୁର୍ଲା ଆଶୋକ ନିବାସରୁ ବହାରି ପ୍ରଥମେ ଝାରସୁଗୁଡ଼ା ଓପିଜିସିର ଇନ୍‌ଟେକ ପଏଣ୍ଟ ବୁଲି ଦେଖିଥିଲେ। କମ୍ପାନୀ ଜଳଭଣ୍ଡାରରୁ କେତେ ପରିମାଣ ପାଣି ପାଇଁ ଅନୁମତି ନେଇଛି ଓ କେତେ ପାଣି ନେଉଛି ତାହା ଯାଞ୍ଚ କରିଥିଲେ। ଏହା ପରେ ବନହରପାଲିସ୍ଥିତ ଇବ୍‌ ଥର୍ମାଲ ପ୍ରକଳ୍ପ ବୁଲି ଦେଖିଥିଲେ। ସେଠାରେ ବିଭିନ୍ନ ସମସ୍ୟା ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ସୁନ୍ଦରଗଡ ଜିଲା ଆଇବି ଡ୍ୟାମ୍‌ ପ୍ରକଳ୍ପ ପରିଦର୍ଶନ କରି ଡ୍ୟାମ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସବୁଠାରେ ପାଣିର ପ୍ରବାହ ଓ ଅଣ ମୌସୁମୀ ସମୟରେ ସ୍ଥିତି କ’ଣ ରହୁଛି ସେ ସମ୍ପର୍କରେ ଅଧିକାରୀମାନଙ୍କଠାରୁ ପଚାରି ବୁଝିଥିଲେ। ଗସ୍ତ ସମୟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମଙ୍ଗଳବାର ଏହି ଟିମ୍‌ ନୂଆପଡା ଜିଲା ସାଇପଲା ଡ୍ୟାମ୍‌ ଓ ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ମହାନଦୀ ଜଳକୁ ନେଇ ଓଡିଶା ଓ ଛତିଶଗଡ ରାଜ୍ୟ ମଧ୍ୟରେ ବିବାଦ ଲାଗିରହିଛି। ଏହି ବିବାଦର ସମାଧାନ ପାଇଁ ଗଠିତ ହୋଇଥିବା ଟ୍ରିବ୍ୟୁନାଲ ପ୍ରଥମେ ଛତିଶଗଡ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଏହି ଟିମ୍‌ଗତ ରବିବାର ପ୍ରଥମେ ସମ୍ବଲପୁରରେ ପହଞ୍ଚତ୍ ହୀରାକୁଦ ଡ୍ୟାମ ଓ ଅନ୍ୟ ଅଞ୍ଚଳର ବୁଲି ଦେଖିଥିଲେ। ଏହି ୩ଜଣିଆ ଟିମ୍‌ରେ ଅଧ୍ୟକ୍ଷ ଏ.ଏମ୍‌. ଖନଓ୍ବାଲିକର, ସଦସ୍ୟ ଜଷ୍ଟିସ୍‌ ରବି ରଞ୍ଜନ ଓ ସଦସ୍ୟ ଜଷ୍ଟିସ ଇନ୍ଦ୍ରଜିତ କୌର କୋଚିହାର ରହିଛନ୍ତି।

Share