Categories: ଖେଳ

ତୃତୀୟ ଦିବସରେ ଓଡ଼ିଶାକୁ ୨ ରୌପ୍ୟ, ୧ ବ୍ରୋଞ୍ଜ

ଭୁବନେଶ୍ୱର, ୧୪।୧୧ (କ୍ରୀଡ଼ା ପ୍ରତିନିଧି): ଆସାମର ଗୁଆହାଟୀଠାରେ ଚାଲିଥିବା ୩୭ତମ ଜାତୀୟ ଜୁନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ର ତୃତୀୟ ଦିବସରେ ଓଡ଼ିଶା ୨ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛି। ୧୬ ବର୍ଷରୁ କମ୍‌ ବାଳକ ହାମର ଥ୍ରୋରେ ଓଁକାର ପ୍ରସାଦ ନନ୍ଦ ରୌପ୍ୟ ପଦକ ପାଇଛନ୍ତି। ସେ ୬୨.୫୮ ମିଟର ଦୂରକୁ ହାମର ପକାଇ ଏହି ସଫଳତା ପାଇଛନ୍ତି। ଉତ୍ତର ପ୍ରଦେଶର ଅବ୍‌ଦୁଲ ରହମାନ (୬୪.୬୧ ମିଟର) ଜାତୀୟ ରେକର୍ଡ ସହ ସ୍ବର୍ଣ୍ଣ ଏବଂ ହରିୟାଣାର ରାହୁଲ (୫୬.୪୮) ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୧୮ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ହର୍ଡଲ୍ସରେ ସବିତା ଟପ୍ପୋ ୧୪.୧୬ ସେକେଣ୍ଡ ସମୟ ନେଇ ରୌପ୍ୟ ପଦକ ପାଇଛନ୍ତି। କର୍ନାଟକର ଉନ୍ନଥ ବୋଲାଣ୍ଡ (୧୩.୯୪) ସ୍ବର୍ଣ୍ଣ ଏବଂ ତାମିଲନାଡ଼ୁର ଶିନି ଗ୍ଲାଡସିଆ (୧୪.୬୪) ବ୍ରୋଞ୍ଜ ପଦକ ପାଇଛନ୍ତି। ମହେନ୍ଦ୍ର ସାନ୍ତା, ପଙ୍କଜ ମଣ୍ଡଳ, ଡି. ଜୟରାମ ଓ ବାପି ହାଁସ୍‌ଦାଙ୍କୁ ନେଇ ୧୮ ବର୍ଷରୁ କମ୍‌ ବାଳକ ରିଲେ ଦଳ ମିଡ୍‌ଲେ ରିଲେରେ ୧:୫୭.୩୯ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ପାଇଛି।

ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ଦଳ ଯଥାକ୍ରମେ ୧:୫୫.୯୪ ଏବଂ ୧:୫୭.୩୯ ସେକେଣ୍ଡ ସମୟ ନେଇ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ପାଇଛନ୍ତି। ତୃତୀୟ ଦିବସ ଶେଷସୁଦ୍ଧା ଓଡ଼ିଶା ମୋଟ ୪ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ପାଇଛି। ପଦକ ବିଜେତାଙ୍କୁ ଓଡ଼ିଶା ଆଥ୍‌ଲେଟିକ୍ସ ଆସୋସିଏଶନ ସମ୍ପାଦକ ଆଶୀର୍ବାଦ ବେହେରା ଅଭିନନ୍ଦନ ଜଣାଇଛନ୍ତି।

 

Share