ସାମ୍ନାକୁ ଆସିଲା ତାରିଖ, ଏହି ଦିନ ଖୋଲିପାରେ ରତ୍ନଭଣ୍ଡାର

ପୁରୀ,୩ା୭(ଅଜିତ୍‌ କୁମାର ମହାନ୍ତି): ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଆସନ୍ତା ରଥଯାତ୍ରା ସମୟରେ ଖୋଲିପାରେ। ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ୭ତାରିଖରେ ଅନୁଷ୍ଠିତ ହେବ। ରଥଯାତ୍ରା ପରଦିନ ଅର୍ଥାତ ୮ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିପାରେ ବୋଲି ଶୁଣିବାକୁ ମିଳୁଛି। ସୂଚନା ଅନୁଯାୟୀ, ଚଳିତ ମାସ ୮ ତାରିଖଠାରୁ ୨୭ତାରିଖ ପର୍ଯ୍ୟନ୍ତ ଅର୍ଥାତ ୨୦ ଦିନ ଧରି ରତ୍ନଭଣ୍ଡାର ଖୋଲାଯାଇ ରତ୍ନ ଅଳଙ୍କାରଗୁଡ଼ିକୁ ଗଣତିମଣତି କରାଯାଇପାରେ। ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଚଳିତ ମାସ ୫ତାରିଖରେ ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ଅନୁଷ୍ଠିତ ହୋଇପାରେ। ତେଣୁ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ଅରିଜିତ ପଶାୟତ ୪ ତାରିଖରେ ଓଡ଼ିଶା ଆସୁଥିବା ସୂଚନା ମିଳିବା ପରେ ୫ତାରିଖରେ ବୈଠକ ବସି ରତ୍ନଭଣ୍ଡାର ଖୋଲିବା ନେଇ ଆଲୋଚନା କରାଯିବା ସହ ଅଳଙ୍କାର ଗଣତିମଣତି ନେଇ ନିଷ୍ପତ୍ତି ହୋଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଏନେଇ ରାଜ୍ୟ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଅପରପକ୍ଷରେ ପୂର୍ବରୁ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ୮ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ନେଇ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ସୂଚନା ଦେଇଥିଲେ, ଯାହାକୁ ପରେ ଆଇନମନ୍ତ୍ରୀ ଖଣ୍ଡନ କରିଥିଲେ। ସରକାରଙ୍କ ପକ୍ଷରୁ ଅନେକ ସମୟରେ କୁହାଯାଇଛି କି, ଉପଯୁକ୍ତ ସମୟରେ ରତ୍ନଭଣ୍ଡାର ଖୋଲାହେବ। ମାତ୍ର କେଉଁ ସମୟରେ ଖୋଲାହେବ ସେ ନେଇ କୌଣସି ସୂଚନା ପ୍ରଦାନ କରାଯାଉନାହିଁ। ରଥଯାତ୍ରା ପୂର୍ବରୁ ଜଷ୍ଟିସ୍‌ ପଶାୟତଙ୍କ ପୁରୀ ଗସ୍ତ ଏବଂ ୨୭ ତାରିଖ ପର୍ଯ୍ୟନ୍ତ ପୁରୀରେ ଅବସ୍ଥାନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବା ଓ ସୁରକ୍ଷା ଯୋଗାଇଦେବା ଆଦି ସୂଚନା ମିଳିବା ପରେ ଆସନ୍ତା ୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ନେଇ ଚର୍ଚ୍ଚା ବଢିଛି। ତେବେ ରାଜ୍ୟ ସରକାରଙ୍କ ଘୋଷଣା ପରେ ସମସ୍ତ କଥା ସ୍ପଷ୍ଟ ହେବ।