ଏମର୍ଜେନ୍ସି ଇତିହାସର ‘ଅଲିଭା କଳାଦାଗ’: କୁଅଁର

ଭୁବନେଶ୍ୱର,୨୬ା୬(ଅନିଲ ଦାସ): ତତ୍‌୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ ଜୁନ୍‌ ୨୫ ମଧ୍ୟରାତ୍ରରେ ଭାରତରେ ପ୍ରଥମଥର ପାଇଁ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଏହାର ପ୍ରତିବାଦରେ ଭାଜପା ତରଫରୁ ମଙ୍ଗଳବାର ରାଜ୍ୟର ବିଭିନ୍ନ ଜିଲାରେ ‘କଳା ଦିବସ’ ପାଳନ କରାଯାଇଛି। ଭୁବନେଶ୍ୱରସ୍ଥିତ ରାଜ୍ୟ ଭାଜପା କାର୍ଯ୍ୟାଳୟରେ ପାଳିତ କଳା ଦିବସରେ ଯୋଗଦେଇ ମୁଖ୍ୟ ଅତିଥି ତଥା ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର କହିଛନ୍ତି, ଦେଶରେ ଗଣତନ୍ତ୍ର ଓ ସମ୍ବିଧାନକୁ କଂଗ୍ରେସ ବାରମ୍ବାର ହତ୍ୟା କରିବାକୁ ଚେଷ୍ଟା କରିଛି। ୪୯ ବର୍ଷ ପୂର୍ବେ କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ଜରୁରିକାଳୀନ ପରିସ୍ଥିତି ହେଉଛି ଏହାର ପ୍ରମୁଖ ଉଦାହରଣ। ତତ୍‌୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୧ ନିର୍ବାଚନରେ ସରକାରୀ କଳର ଅପବ୍ୟବହାର କରି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ରାଜ ନାରାୟଣଙ୍କୁ ପରାସ୍ତ କରିଥିବା ଦର୍ଶାଇ ଆଲ୍ଲାହାବାଦ ହାଇକୋର୍ଟ ତାଙ୍କ ସଭ୍ୟପଦ ନାକଚ କରିଥିଲେ। ଏହା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ପଦରେ ରହିବା ଲକ୍ଷ୍ୟରେ ଇନ୍ଦିରା ଅସାମ୍ବିଧାନିକ ଭାବେ ୩୫୨ ଧାରାର ପ୍ରୟୋଗ କରି ୧୯୭୫ରେ ଜରୁରିକାଳୀନ ପରିସ୍ଥିତ ଘୋଷଣା କରିଥିଲେ। ୨୧ ମାସ ଧରି କଂଗ୍ରେସ ସରକାର ଭାରତରେ ସ୍ବେଚ୍ଛାଚାରୀ ଶାସନ ଚଳାଇ ସମ୍ବିଧାନର ମୁଖବନ୍ଧକୁ ପରିବର୍ତ୍ତନ କରିଦେଇଥିଲା। ଏହି ସମୟରେ ସମ୍ବିଧାନରେ ଉଲ୍ଲେଖ ଥିବା ବ୍ୟକ୍ତିର ସ୍ବାଧୀନତା, ଗଣମାଧ୍ୟମର ସ୍ବାଧୀନତା, ନ୍ୟାୟପାଳିକାର ସ୍ବତନ୍ତ୍ରତା ସମେତ ମୌଳିକ ଅଧିକାରକୁ ହତ୍ୟା କରି ଅଗଣତାନ୍ତ୍ରିକ ଭାବେ ଶାସନ କ୍ଷମତାକୁ ଅକ୍ତିଆର କରିବାର ପ୍ରୟାସ କରାଯାଇଥିଲା ା ବିଶେଷ ଭାବେ ଗଣମାଧ୍ୟମ ଓ ଛାତ୍ର ଆନ୍ଦୋଳନକୁ ଅଗଣତାନ୍ତ୍ରିକ ଭାବେ ଦମନ କରାଯାଇଥିଲା। ଏହି ଜରୁରିକାଳୀନ ପରିସ୍ଥିତିକୁ ବିରୋଧ କରୁଥିବା ଅସଂଖ୍ୟ ଅଣକଂଗ୍ରେସ ରାଜନୈତିକ ଦଳର ନେତା, ସତ୍ୟାଗ୍ରହୀ, ବୁଦ୍ଧିଜୀବୀ ଓ ଖବରଦାତାଙ୍କୁ ‘ମିଶା ଆଇନ’ ବଳରେ ଜୋରଜବରଦସ୍ତି ଜେଲରେ ଭର୍ତ୍ତିି କରାଯାଇଥିଲା। ଜୟପ୍ରକାଶ ନାରାୟଣଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡ୍‌ଭାନୀ, ମୋରାରଜୀ ଦେଶାଇ, ଜର୍ଜ ଫର୍ନାଣ୍ଡିଜ, ଚୌଧୁରୀ ଚରଣ ସିଂହ, ବିଜୟାରାଜେ ସିନ୍ଧିଆ, ଅଶ୍ୱିନୀ ଚୌବେ, ଅରୁଣ ଜେଟ୍‌ଲୀ ପ୍ରମୁଖ କାରାବରଣ କରିଥିଲେ। ସେହିପରି ଓଡ଼ିଶାରେ ମଧ୍ୟ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ରବି ରାୟ ପ୍ରମୁଖଙ୍କ ସମେତ ୧୨୦୦ରୁ ଊର୍ଦ୍ଧ୍ୱ ସତ୍ୟାଗ୍ରହୀ ଏବଂ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ର, ଯୁବ ଓ ରାଜନେତାଙ୍କୁୁ ଗିରଫ କରାଯାଇ ଜେଲରେ ଭର୍ତ୍ତି କରାଯାଇଥିଲା। ଦେଶର ନିର୍ଦ୍ଦିଷ୍ଟ ଗୋଟିଏ ପରିବାର ଶାସନ କ୍ଷମତାରେ ରହିବା ପାଇଁ ଅନେକ କୋଟି ଲୋକଙ୍କ ସାମ୍ବିଧାନିକ ଅଧିକାରକୁ ଜଳାଞ୍ଜଳି ଦିଆଯାଇଥିଲା। ସ୍ବାଧୀନତା ପରବର୍ତ୍ତୀ ଭାରତବର୍ଷର ଇତିହାସରେ ଜରୁରିକାଳୀନ ପରିସ୍ଥିତ ଏକ ‘ଅଲିଭା କଳାଦାଗ’ ବୋଲି କୁଅଁର କହିଛନ୍ତି।
ସମୟରେ କାରାବରଣ କରିଥିବା ବିମ୍ବାଧର କୁଅଁର, ଭୁବନାନନ୍ଦ ତ୍ରିପାଠୀ, ଶ୍ରୀଧର ଦାସ, ଗୁରୁଚରଣ ଜେନା,ହରିହର ସାହୁ, ପ୍ରାଣବନ୍ଧୁ ସେନାପତି, ବିନାୟକ ସେନାପତି, ନିର୍ମଳ ଚନ୍ଦ୍ର ଜେନା, ଧ୍ରୁବଚରଣ ଦଳାଇ,ପ୍ରଫୁଲ୍ଲ କୁମାର ସାହୁ, ସଚ୍ଚିଦାନନ୍ଦ ଦଲାଲ, ଭବାନୀଶଙ୍କର ଦାସ ଓ ସୁରେନ୍ଦ୍ର ନାୟକଙ୍କୁ ରାଜ୍ୟ କାର୍ଯ୍ୟାଳୟଠାରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଜିଲା ସମ୍ପାଦକ ରାଜେନ୍ଦ୍ର ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ ା

Share