ଦିନେ ଥିଲେ ନବୀନଙ୍କ ପ୍ରତିଦ୍ୱନ୍ଦୀ ଆଉ ଏବେ ମିଳିଲା ବଡ଼ ପଦବୀ, ଜାଣନ୍ତୁ ପୀତାମ୍ବର ଆଚାର୍ଯ୍ୟଙ୍କ ରାଜନୈତିକ ଯାତ୍ରା

ଭୁବନେଶ୍ୱର,୧୯।୭: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ମିଳିଛି ବଡ଼ ଦାୟିତ୍ୱ। ମୁଖ୍ୟମନ୍ତ୍ରୀ ମୋହନ ମାଝି ତାଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ଦେଇଛନ୍ତି।
ପୀତାମ୍ବରଙ୍କ ନିଯୁକ୍ତି ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଆଇନ କ୍ଷେତ୍ରରେ ତାଙ୍କ ଦୀର୍ଘ ଦିନର ଅଭିଜ୍ଞତା ରହିଛି। ଭାରତର ସମ୍ବିଧାନ ଧାରା ୧୬୫, ଖଣ୍ଡ (୧) ଅନୁଯାୟୀ, ଓଡ଼ିଶା ରାଜ୍ୟପାଳ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଡଭୋକେଟ ପୀତାମ୍ବର ଆଚାର୍ଯ୍ୟଙ୍କୁ ରାଜ୍ୟର ଆଡଭୋକେଟ ଜେନେରାଲ ଭାବରେ ନିଯୁକ୍ତି କରିଛନ୍ତି।

ପିତାମ୍ବର ଆଚାର୍ଯ୍ୟ ପୂର୍ବରୁ ଭାରତୀୟ ଜନତା ପାର୍ଟିର ଉପ-ସଭାପତି ତଥା ମୁଖପାତ୍ର ରହିଥିଲେ। ୨୦୧୯ରେ ସେ ଭାଜପା ଟିକେଟରେ ହିଞ୍ଜିଳିରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢିଥିଲେ। କିନ୍ତୁ ସେ ସେଠାରୁ ନବୀନଙ୍କ ଠାରୁ ପରାସ୍ତ ହୋଇଥିଲେ। ଆଚାର୍ଯ୍ୟ ଛାତ୍ର ବୟସରୁ ରାଜନୀତିରେ ସକ୍ରିୟ ଥିଲେ। ୯୦ ଦଶକରେ ସେ ବିଜେବି କଲେଜରେ ଛାତ୍ର ସଂଗଠନର ସଭାପତି ଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଚାର୍ଯ୍ୟ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଏଥିସହ ସେ ଏଲଏଲବି ରେ ସ୍ନାତକ କରିଛନ୍ତି। ତାଙ୍କର ବୃତ୍ତିଗତ ଯାତ୍ରା ସାମ୍ବାଦିକ ଭାବରେ ଆରମ୍ଭ ହୋଇଥିଲା। ଚଳିତ ନିର୍ବାଚନ ପୂର୍ବରୁ ପୀତାମ୍ବର ଦଳ ପାଇଁ ଅନେକ ପ୍ରସଙ୍ଗରେ ଆଇନଗତ ଲଢେଇ ଲଢି ବଳ ଯୋଗାଇଛନ୍ତି।

ଏହି ସାମ୍ବିଧାନିକ ପଦ ସରକାରଙ୍କ ଅନୁମୋଦନକ୍ରମେ ରାଜ୍ୟପାଳ ନିଯୁକ୍ତି ଦେଇଥାନ୍ତି। ବରିଷ୍ଠ ଆଇନଜୀବୀଙ୍କ ମତ ହେଲା ଆଡଭୋକେଟ ଜେନେରାଲ ହେଉଛନ୍ତି ସରକାରଙ୍କ ପ୍ରଥମ ପରାମର୍ଶଦାତା। ବିଧାନସଭାରେ ସାମ୍ବିଧାନିକ ସଂକଟ ଦେଖାଦେଲେ ସେ ମଧ୍ୟ ଅଂଶ ଗ୍ରହଣ କରିପାରିବେ। ତେବେ ଯିଏ ସରକାରଙ୍କ ଅନୁଗତ ସହିତ ଅନୁଭବୀ ଓ ପାରଦର୍ଶୀ ସଂପନ୍ନ ହୋଇଥା’ନ୍ତି ସେହି ଆଇନଜୀବୀଙ୍କୁ ନିଯୁକ୍ତି ଦେଇଥାନ୍ତି ସରକାର।

Share