ଜୁନ୍‌ରେ ଦେଢ଼କୋଟି ଲୁଟିଛନ୍ତି ସାଇବର ଠକ

ଭୁବନେଶ୍ୱର,୨।୭(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ପ୍ରତିମାସରେ ସାଇବର ଠକମାନେ ରାଜ୍ୟରୁ ବହୁ କୋଟି ଟଙ୍କା ଲୁଟିନେଉଛନ୍ତି। ଲୁଟ୍‌ର ଶିକାର ଲୋକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ରାଜଧାନୀବାସୀ। ଭୁବନେଶ୍ୱର ସାଇବର ସେଲ୍‌ର ରିପୋର୍ଟ ଅନୁଯାୟୀ, କେବଳ ଜୁନ୍‌ ମାସରେ ରାଜ୍ୟରେ ୧ କୋଟି ୫୩ଲକ୍ଷ ୨୯ ହଜାର ଟଙ୍କାର ସାଇବର ଠକେଇ ଅଭିଯୋଗ ଆସିଛି। ଏଥିମଧ୍ୟରୁ ସାଇବର ଠକମାନେ କେବଳ ଭୁବନେଶ୍ୱରରୁ ୮୩ ଲକ୍ଷ ୮ହଜାର ୬୬୨ ଟଙ୍କା ଠକି ନେଇଛନ୍ତି। ଠକେଇ ନେଇ ମୋଟ ୪୬୩ କଲ୍‌ ସାଇବର ସେଲକୁ ଆସିଥିବାବେଳେ ଭୁବନେଶ୍ୱରରୁ ୨୨୯ଟି କଲ୍‌ ରହିଛି। ବିଶେଷକରି ୟୁପିଆଇ ମାଧ୍ୟମରେ ସାଇବର ଅପରାଧୀମାନେ ଅଧିକ ଠକେଇ କରିଛନ୍ତି, ଯେଉଁଥିରେ ଭୁବନେଶ୍ୱରରୁ ୯୩ ଠକେଇ ହୋଇଛି। ସେହିପରି କ୍ରେଡ଼ିଟ, ଡେବିଟ କାର୍ଡ଼ ଓ ଉପହାର ପ୍ରଲୋଭନ ଦେଖାଇ ୭୭ ଠକେଇ ହୋଇଛି। ଏ ନେଇ ସାଇବର ସେଲ୍‌ରେ ୧୪ ମାମଲା ପଞ୍ଜୀକୃତ ହୋଇଥିବାବେଳେ ସାଇବର ସେଲ୍‌ ହେଲ୍ପ ଡେସ୍କ ୬୭ଟି ନମ୍ବର ବ୍ଲକ୍‌ କରିଛି। ତେବେ ସମ୍ପୃକ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିବା ସାଇବର ସେଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଜୁନ୍‌ରେ ପୋଲିସ ସାଇବର ଅପରାଧୀଙ୍କ ଆକାଉଣ୍ଟରୁ ୧୬ ଲକ୍ଷ ୫ ହାଜର ୮୦୦ ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଛି, ଯାହା ପୂର୍ବ ମାସଗୁଡ଼ିକ ତୁଳନାରେ ସର୍ବାଧିକ ବୋଲି ରିପୋର୍ଟରେ ଦର୍ଶାଯାଇଛି।

Share