ଦେଢ ଲକ୍ଷ ଟଙ୍କାର ମୃତ୍ୟୁ ସଞ୍ଜିବନୀ ସୁରା ଜବତ, ବନ୍ଧା ହେଲେ ଅଭିଯୁକ୍ତ

ଧାମନଗର,୧।୬(ଡି.ଏନ.ଏ): ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ଚୋରା ଦେଶୀ ଓ ବିଦେଶୀ ମଦ ସାଙ୍ଗକୁ ଧଳାଜହର କାରବାର ବଢ଼ିବାରେ ଲାଗିଛି। ଏପରିକି ଗ୍ରାମାଞ୍ଚଳରେ ବିଦେଶୀ, ଦେଶୀ ମଦ ଓ ମୃତ୍ୟୁ ସଞ୍ଜିବନୀ ସୁରା ବେଆଇନ ଭାବେ ବିକ୍ରି ବଢ଼ି ଚାଲିଛି। ଧାମନଗର ଅବକାରୀ ଥାନା ପକ୍ଷରୁ କରଦା ପଞ୍ଚାୟତର ଖଙ୍ଗରା ଗ୍ରାମର ବୁଦ୍ଧଦେବ ସାହୁଙ୍କ ଘରୁ ୨୫୨ଲିଟର ସୁରା ଜବତ କରାଯାଇଛି। ଏଥିସହ ବୁଦ୍ଧଦେବଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏନେଇ ଅବକାରୀ ଥାନାରେ ଏକ ମାମଲା (ନଂ.୩୨/୨୩) ରୁଜୁ ହୋଇଛି। ଜବତ ସୁରାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି କୁହାଯାଇଛି। ଧାମନଗର ଅବକାରୀ ଥାନା ଅଧିକାରୀ ସନ୍ଦୀପ ପାଢ଼ୀ, ଏସ୍‌ଆଇ ରବୀନ୍ଦ୍ର ବେହୁରିଆ, ଏଏସ୍‌ଆଇ ଭବେସ ଦାସ, ସାରାଣୀ ସେନାପତି, ରମାକାନ୍ତ ବାରିକ ଓ ସୂର୍ଯ୍ୟକାନ୍ତ କିଶୁ ଚଢ଼ାଉରେ ସାମିଲ ଥିଲେ।