ଶାଳୀଘରୁ ଚୋରି ସୁନା ବନ୍ଧା ପକାଇ ଆଇପିଏଲ୍‌ ବେଟିଂରେ ଲଗାଇଥିଲେ ଟଙ୍କା: ଭିଣୋଇ ଗିରଫ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ଶାଳୀଘରକୁ ଯାଇ ସୁନା ଗହଣା ଚୋରି କରିବା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୋଲିସ ଅଭିଯୁକ୍ତ ଭିଣୋଇଙ୍କୁ ଗିରଫ କରିଛି। ସେ ହେଲେ ଲିଙ୍ଗରାଜ ଥାନା ଅନ୍ତର୍ଗତ ପୁରୁଣା ଭୁବନେଶ୍ୱରର ଅଭିଶେଖ ମହାପାତ୍ର (୩୨)। ତାଙ୍କଠାରୁ ଗୋଟେ ସୁନା ହାର, ଗୋଟେ ମୁଦି ଓ ଗୋଟେ ବ୍ରେସ୍‌ଲେଟ ଜବତ କରାଯାଇଛି। ତଦନ୍ତରୁ ଜଣାପଡିଛି, ଅଭିଯୁକ୍ତ ଅଭିଶେଖ ଚୋରି କରିଥିବା ସୁନାଗୁଡିକୁ ମନାପୁରମ ଆସେଟ ଫାଇନାନ୍ସରେ ବନ୍ଧା ପକାଇ ୧ ଲକ୍ଷ ୬୮ ହଜାର ଟଙ୍କା ଆଣି ଆଇପିଏଲ୍‌ରେ ବେଟିଂରେ ଲଗାଇଥିଲେ। ଏନେଇ ପୋଲିସ ୧୧୦/୨୨ରେ ମାମଲା ରୁଜୁ କରି ରବିବାର କୋର୍ଟ ଚାଲାଣ କରିଛି। ଏଥିସହ ଅଭିଯୁକ୍ତ ଜଣଙ୍କ ମନାପୁରମ ଆସେଟ ଫାଇନାନ୍ସ ଲିର ଶାଖା ପ୍ରବନ୍ଧକଙ୍କଠାରେ ବନ୍ଧକ ରଖିଥିବା ସୁନାକୁ ଜବତ କରି ଅଭିଯୋଗକାରୀଙ୍କ ଜିମା ଦେଇଛନ୍ତି।
ସୂଚନାନୁଯାୟୀ, ଅଭିଯୁକ୍ତ ଅଭିଶେଖ ଅଭିଯୋଗକାରୀ ବଟକିଶୋର ପରିଡ଼ାଙ୍କ ସମ୍ପର୍କୀୟ ଭାଇ। ଏପ୍ରିଲ ୮ରେ ଅଭିଯୁକ୍ତ ତାଙ୍କର ୨ ଭଉଣୀଙ୍କ ସହିତ ବଟକିଶୋରଙ୍କ ଘରକୁ ବୁଲିବାକୁ ଯାଇଥିଲେ। ବଟକିଶୋରଙ୍କ ସ୍ତ୍ରୀ ଘରେ ଥିବା ସମୟରେ ଅଭିଶେଖ ତାଙ୍କର ୪୦ ଗ୍ରାମର ସୁନା ଚେନ, ୧୦ ଗ୍ରାମର ମୁଦି ଓ ୧୮ ଗ୍ରାମର ବ୍ରେସ୍‌ଲେଟ ଚୋରି କରି ନେଇଯାଇଥିଲେ। ଘରେ ସୁନା ନ ଥିବା ଜାଣିପାରି ଅଭିଯୋଗକାରୀଙ୍କ ସ୍ତ୍ରୀ ଅଭିଶେଖଙ୍କୁ ପଚାରିଥିଲେ। ହେଲେ ଅଭିଶେଖ ତାଙ୍କୁ ଖରାପ ଭାଷାରେ ଗାଳିଗୁଳଜ କରିବା ସହ ଧମକ ଦେଇଥିଲେ। ଏନେଇ ବଟକିଶୋର ମଞ୍ଚେଶ୍ୱର ଥାନାରେ ଏପ୍ରିଲ ୧୩ରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି।