ବାରିପଦା ଅଫିସ,୧୮ା୭- ସୋସିଆଲ୍ ମିଡିଆରେ ଅପପ୍ରଚାର କରିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ମନୋଜ କୁମାର ଦେଓ। କିଛି ଦିନ ତଳେ ଜନୈକ ଭାଜପା ନେତାଙ୍କୁ କରୋନା ହୋଇଥିବା ବେଳେ ସେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ। ମନୋଜ ସୋସିଆଲ ମିଡ଼ିଆରେ ଉକ୍ତ ଭାଜପା ନେତା କରୋନାରେ ଆକ୍ରାନ୍ତ ହୋଇ ମୟୂରଭଞ୍ଜ ରାଜମାତା ଭାରତୀ ରାଜ୍ୟଲକ୍ଷ୍ମୀ ଦେଓଙ୍କ ଶେଷ ଦର୍ଶନ କରିବା ପାଇଁ ଯାଇଥିଲେ। ସେ ସେଥିରେ ଯୋଗ ଦେଇଥିବା ଅନ୍ୟ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ଫଳରେ ଏହା ଦ୍ୱାରା ଅଧିକାଂଶ ଲୋକ ଆକ୍ରାନ୍ତ ହେବେ ଓ ଜିଲା ପ୍ରଶାସନ ଏଥିପାଇଁ ଦାୟୀ ରହିବେ ବୋଲି ପୋଷ୍ଟ କରିଥିଲେ। ପରେ ଏ ନେଇ ମହାରାଜାଙ୍କ କାର୍ଯ୍ୟାଳୟର କର୍ମଚାରୀ ଅନୁପ କୁମାର ପଟ୍ଟନାୟକ ଟାଉନ ଥାନାରେ ଅଭିଯୋଗ କରିବା ସହ ରାଜମାତାଙ୍କ ଶେଷକୃତ୍ୟ ଦିନ ଉକ୍ତ ଭାଜପା ନେତା ଆସି ନ ଥିବା ସ୍ପଷ୍ଟ କରିଥିଲେ। ପୋଲିସ ଏ ନେଇ ଏକ ମାମଲା(ନଂ. ୪୫୮/୨୦୨୦) ରୁଜୁ କରି ମନୋଜଙ୍କୁ ଗିରଫ କରିଥିବା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି କହିଛନ୍ତି।