ଚୋରି ଟ୍ରକ ଘଟଣାରେ ଜଣେ ଗିରଫ ଜଣେ ଫେରାର

ଗୋପାଳପୁର, ୧୭।୯(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଧୀନ ଶନିବାର ବିଳମ୍ବିତ ରାତିରେ ହଳଦିଆପଦର ଗ୍ରାମ ନିକଟରେ ପାର୍କିଂ ଅବସ୍ଥାରେ ଥିବା ଏକ ଟ୍ରକ ଚୋରି ହୋଇଥିବା ବେଳେ ମଙ୍ଗଳବାର ପୋଲିସ ଉକ୍ତ ଟ୍ରକକୁ ଠାବ କରିବା ସହ ଚୋରି କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ଜଣାପଡିଛି l ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ବାଲିକୁଦା ମାଷ୍ଟର କଲୋନୀର ଗୋବିନ୍ଦ ଚନ୍ଦ୍ର ରାଉତ ବୋଲି ପୋଲିସ ସୂଚନା ଦେଇଛି l

ସୂଚନା ଅନୁଯାୟୀ, ବ୍ରହ୍ମପୁର ଜ୍ୟୋତି ନଗର ଅଞ୍ଚଳର ସୁଜିତ କୁମାର ତ୍ରିପାଠୀ ନିଜ ଟ୍ରକ ଓଡି0୭ଜେଡ -୩0୭0 ଟିକୁ ଶନିବାର ସଂଧ୍ୟାରେ ହଳଦିଆପଦର ନିକଟରେ ପାର୍କିଙ୍ଗ କରି ଘରକୁ ଯାଇଥିବା ବେଳେ ପରଦିନ ଆସିବା ବେଳେ ଉକ୍ତ ସ୍ଥାନରେ ଟ୍ରକଟି ନ ଥିଲା l ଖୋଜା ଖୋଜି କରିଥିଲେ ମଧ୍ୟ ଟେର ପାଇ ନ ଥିଲେ l ଟ୍ରକଟି ଚୋରି ହୋଇଯାଇଥିବା ନେଇ ସୁଜିତ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ l ପୋଲିସ ଥାନା କେଶ ନଂ 368/24ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ଚୋରି ଟ୍ରକଟି ଗୋରାପଲ୍ଲୀ ଟୋଲ ଗେଟ ନିକଟରେ ଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ସୱାଇଁଙ୍କ ନିର୍ଦେଶ କ୍ରମେ ଏସଆଇ ଗଗନ କୁମାର ବେହେରା ନେତୃତ୍ୱରେ ଏକ ପୋଲିସ ଟିମ ଜଙ୍କିଆ ଥାନା ଅଧୀନ ଗୋଡିପଡା ଗାଁ ନିକଟରେ ଟ୍ରକକୁ ଠାବ କରିା ସହ ଗୋବିନ୍ଦକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା l ମଙ୍ଗଳବାର ପୋଲିସ ଅଭିଯୁକ୍ତ ଗୋବିନ୍ଦକୁ ଅଦାଲତ ଚାଲାଣ କରିଥିବା ସୂଚନା ମିଳିଛି l ଟ୍ରକ ଚୋରି ଘଟଣାରେ ଚମ୍ପଟ ମାରିଥିବା ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରା ଯିବ ବୋଲି ଥାନାଧିକାରୀ ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି l ଗୋବିନ୍ଦଙ୍କ ନାଁରେ ରାଜ୍ୟର ବିଭିନ୍ନ ପୋଲିସ ଜିଲାରେ ୧୧ ଟି ମାମଲା ରହିଛି l