ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ଅକାଳରେ ମରିଯିବେ ୧୦୦କୋଟି ଲୋକ

ନୂଆଦିଲ୍ଲୀ,୩୦।୮: ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ବିଶ୍ୱ ତାପମାତ୍ରାରେ ଯଦି ଦୁଇ ଡିଗ୍ରୀ ସେଲସିୟସ ବୃଦ୍ଧି ପାଏ ତେବେ ପରବର୍ତ୍ତୀ ଶତାବ୍ଦୀରେ ପ୍ରାୟ ୧୦୦କୋଟି ଲୋକ ଅକାଳରେ ମୃତ୍ୟୁବରଣ କରିବେ। ୪୦ଶତକଡାରୁ ଅଧିକ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ତୈଳ ଏବଂ ଗ୍ୟାସ ଶିଳ୍ପ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଦାୟୀ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି। ଏଥିଯୋଗୁ ଦୁନିଆର କୋଟି କୋଟି ଲୋକ ପ୍ରଭାବିତ ହେଉଛନ୍ତି।

ଏନର୍ଜି ଜର୍ନାଲ ପତ୍ରିକାନୁସାରେ କାର୍ବନ ନିର୍ଗମନ ହ୍ରାସ ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଛି। ଆଗକୁ ଏହା ସରକାରୀ, କର୍ପୋରେଟ ଏବଂ ଜନସାଧାରଣଙ୍କ ସ୍ତରରେ ଲାଗୁ କରିବାକୁ ସୁପାରିଶ କରାଯାଉଛି। ଏହି ଅଧ୍ୟୟନରେ ଜଡିତ ଥିବା କାନାଡାର ୱେଷ୍ଟର୍ଣ୍ଣ ଅନଟାରିଓ ବିଶ୍ୱବିଦ୍ୟାଳୟର ପ୍ରଫେସର ଜୋଶୁଆ ପର୍ସ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଆମକୁ ଶୀଘ୍ର କାର୍ଯ୍ୟନୁଷ୍ଠାନ ନେବାକୁ ପଡିବ। ଯଦିଓ ଭବିଷ୍ୟତରେ କ’ଣ ଘଟିବ ତାହା ପୂର୍ବାନୁମାନ କରିବା ସମ୍ଭବ ନୁହେଁ, କିନ୍ତୁ ଜଳବାୟୁ ପରିବର୍ତ୍ତନ ହେତୁ ପ୍ରତି ୧୦ ଜଣଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇବେ ବୋଲି ଆଶଙ୍କା କରାଯାଉଛି।

Share