ନୂଆଦିଲ୍ଲୀ,୨୬।୧୧: ଏକ ଦେଶ ଏକ ନିର୍ବାଚନ ଏବେ ଭାରତର ମୁଖ୍ୟ ଆବଶ୍ୟକତା। ଏହାଦ୍ୱାରା ସମୟ ଏବଂ ଅର୍ଥର ଅପଚୟ ରୋକା ଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବିଧାନ ଦିବସ ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଏହି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯିବା ଉଚିତ ବୋଲି ସେ କହିଛନ୍ତି। ଦେଶର ଜନସାଧାରଣଙ୍କର ସମ୍ବିଧାନକୁ ଜାଣିବାର ଅଧିକାର ରହିଛି। ଏହା ସହିତ ସେ ‘ନୋ ୟୋର କନଷ୍ଟିଚ୍ୟୁଶନ’(କଓ୍ବୋଇସି) ଉପରେ ଗୁରୁତ୍ୱାରୋପ କରିଛନ୍ତି। ସମ୍ବିଧାନ ସୁରକ୍ଷା କ୍ଷେତ୍ରରେ ନ୍ୟାୟପାଳିକାର ଗୁରତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ୭୦ ଦଶକରେ ଏହାକୁ ଭଙ୍ଗ କରାଯିବାର ଉଦ୍ୟମ ହୋଇଥିଲା। ତେବେ ଉଦ୍ୟମକାରୀଙ୍କୁ ଏହାର ଉଚିତ ଜବାବ ମିଳିଥିଲା। ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ହେବା ପରଠାରୁ ସ୍ଥିତିରେ ବହୁ ସୁଧାର ଆସିଛି। ଏବେ ଦେଶରେ ସମ୍ପୂର୍ଣ୍ଣ ଡିଜିଟାଲୀକରଣ କାର୍ଯ୍ୟ ଜାରି ରହିଛି। ଏଥିରେ ସଭିଏଁ ମଳିିିମିଶି କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି। ୧୨ ବର୍ଷ ତଳେ ୨୦୦୮ ନଭେମ୍ବରରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ମାତ୍ର ଏବେ ଆତଙ୍କବାଦୀ ବିରୋଧୀ ଅପରେଶନରେ ନୂଆ ନୀତି-ରୀତିକୁ ଗ୍ରହଣ କରାଯାଇଛି। ପ୍ରତିଟି ଆହ୍ବାନର ମୁକାବିଲା କରିବା ଲାଗି ଭାରତୀୟ ଯବାନ ଏବେ ପ୍ରସ୍ତୁତ ବୋଲି ମୋଦି କହିଛନ୍ତି।