ଜଗନ୍ନାଥ ମନ୍ଦିର ନିଯୋଗକୁ କୋଟିଏ ଟଙ୍କାର ଘର ଦାନ

ନବରଙ୍ଗପୁର,୧୬।୧୨(ବି.ପ୍ର.): ସାଧାରଣତଃ ମଣିଷ ମୃତ୍ୟୁ ପୂର୍ବରୁ ନିଜର ସମସ୍ତ ସମ୍ପତ୍ତି ପରିବାର ଅଥବା ବନ୍ଧୁଙ୍କୁ ଦାନ କରିଥାନ୍ତି। କିନ୍ତୁ ନବରଙ୍ଗପୁର ସହର ଭଗବତୀ ସାହି ବାସିନ୍ଧା ଭବାନୀ ସାହୁଙ୍କ ସ୍ତ୍ରୀ ବୈଜୟନ୍ତୀ ନିଜର କୋଟିଏ ଟଙ୍କାର ଘରକୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରର ନୀତି ପରିଚାଳନା ନିଯୋଗକୁ ଦାନ କରିଛନ୍ତି। ମଙ୍ଗଳବାର ତାଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜିଲାରେ ଏଭଳି ଘଟଣା ପ୍ରଥମ। ବୈଜୟନ୍ତୀଙ୍କ ଏତାଦୃଶ କାମ ପାଇଁ ସମସ୍ତେ ତାଙ୍କୁ ସାଧୁବାଦ ଦେଉଛନ୍ତି।
ବୈଜୟନ୍ତୀଙ୍କ ସ୍ବାମୀ ଭବାନୀ ଜଣେ ପକ୍ଷାଘାତ ରୋଗୀ। ସେମାନଙ୍କର ୩ ଝିଅ (ପୁଷ୍ପାଞ୍ଜଳି, ଗୀତାଞ୍ଜଳି ଓ ଶ୍ରଦ୍ଧାଞ୍ଜଳି) ଅଛନ୍ତି। ସମସ୍ତ ଝିଅ ବିବାହ କରି ସାରିଛନ୍ତି। ବୈଜୟନ୍ତୀ ଜଣେ ଜଗନ୍ନାଥ ଭକ୍ତ ଥିଲେ। ସେ କ୍ୟାନ୍‌ସରରେ ପୀଡିତ ଥିବା କିଛିମାସ ଆଗରୁ ଜଣାପଡିଥିଲା। ମୃତ୍ୟୁ ପୂର୍ବରୁ ନିଜ ଘରକୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନୀତି ପରିଚାଳନା ନିଯୋଗକୁ ଦାନ କରିବାକୁ ଚାହୁଁଥିବା ନେଇ ଝିଅ ଜ୍ୱାଇଁଙ୍କୁ ଜଣାଇଥିଲେ। ନଭେମ୍ବର ୨୬ରେ ମନ୍ଦିର ନୀତି ପରିଚାଳନା କମିଟିକୁ କୋଟିଏ ଟଙ୍କାର ଘରକୁ ବୈଜୟନ୍ତୀ ଦାନ କରିଥିଲେ ବୋଲି ବଡ଼ଝିଅ ପୁଷ୍ପାଞ୍ଜଳି କହିଛନ୍ତି। ଡିସେମ୍ବର ୨ରେ ବୈଜୟନ୍ତୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନୀତି ପରିଚାଳନା ନିଯୋଗ ପକ୍ଷରୁ ପୁରୀ ସ୍ବର୍ଗଦ୍ୱାରରେ ମୃତଦେହ ସତ୍କାର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ବୋଲି ମଙ୍ଗଳବାର ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ରାଜପୁରୋହିତ ନରସିଂହ ତ୍ରିପାଠୀ, ଜଗନ୍ନାଥ ନୀତି ପରିଚାଳନା ନିଯୋଗ ସଭାପତି ନରେଶ ତ୍ରିପାଠୀ, ସମ୍ପାଦକ କୁନା ପାତ୍ର, ଉପସଭାପତି ଭବାନୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୈଜୟନ୍ତୀଙ୍କ ଜ୍ୱାଇଁ ନରସିଂହ ଚୌଧୁରୀ, ଅଜୟ ଶତପଥୀ ଓ ହରି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Share