Categories: ଖେଳ

ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଅକ୍ଟୋବର ୫ରୁ

ନୂଆଦିଲ୍ଲୀ, ୨୨ା୩: ଭାରତରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ୨୦୨୩ ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ହେବ। ଏକ ରିପୋର୍ଟରେ ଏ ବିଷୟ ପ୍ରକାଶ ପାଇଛି। ଫାଇନାଲ ମ୍ୟାଚ୍‌ ଅହମଦାବାଦ୍‌ରେ ବିଶ୍ୱର ସର୍ବବୃହତ୍‌ ଷ୍ଟାଡିୟମରେ ଖେଳାଯିବ। ଖବର ଅନୁସାରେ, ଇତିମଧ୍ୟରେ ଭେନ୍ୟୁଗୁଡ଼ିକର ଏକ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ ହୋଇସାରିଛି। ଅହମଦାବାଦ୍‌କୁ ଛାଡ଼ିଦେଲେ ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ଗୁଆହାଟୀ, ହାଇଦ୍ରାବାଦ, କୋଲ୍‌କାତା, ଲକ୍ଷ୍ନୌ, ଇନ୍ଦୋର, ରାଜକୋଟ ଓ ମୁମ୍ବାଇ ରହିଛି। ଏହି ଟୁର୍ନାମେଣ୍ଟ ୪୬ ଦିନ ଧରି ଚାଲିବ ଏବଂ ୩ ନକ୍‌ଆଉଟ ସମେତ ମୋଟ ୪୮ ମ୍ୟାଚ୍‌ ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏପର୍ଯ୍ୟନ୍ତ କୌଣସି ଗେମ୍‌ ପାଇଁ ନିର୍ଦ୍ଦିଷ୍ଟ ଭେନ୍ୟୁ ସ୍ଥିର କରିନାହିଁ। ଯେଉଁ ଦୁଇ ଅବା ତିନି ସହରରେ ଓ୍ବାର୍ମଅପ୍‌ ଖେଳାଯିବ ତାହା ମଧ୍ୟ ଚୂଡ଼ାନ୍ତ କରିନାହିଁ। କାରଣ ଭାରତର ବିଭିନ୍ନ ଅଞ୍ଚଳରେ ମୌସୁମୀ ସମୟରେ ଫରକ ରହିଛି। ସାଧାରଣତଃ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଅତିକମ୍‌ରେ ବର୍ଷକ ପୂର୍ବରୁ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କରିଥାଏ। ମାତ୍ର ଏଥର ବିସିସିଆଇ ଭାରତ ସରକାରଙ୍କଠାରୁ ଆବଶ୍ୟକ କ୍ଲିୟରାନ୍ସ ଅପେକ୍ଷାରେ ରହିଛି।

Share