ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆରମ୍ଭ ହୋଇଥିବା କୁହାଯାଉଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କେରଳ ଏବଂ ମହାରାଷ୍ଟ୍ରର ନାଗପୁରରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏନେଇ ସରକାରଙ୍କ ଚିନ୍ତା ବଢୁିଛି।

ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ହଜାର ୨୬୩ ରେ ପହଞ୍ଚିଛି। ତେବେ ମୃତ୍ୟୁ ସଂଖ୍ୟା ୩ ଶହ ଟପିଛିି। ଏହି ସମୟ ମଧ୍ୟରେ କରୋନାରେ ୩୩୮ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୪୦ ହଜାର ୫୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୪୮ ପ୍ରତିଶତ ରହିଛି। ଅପରପକ୍ଷରେ ୩ ଲକ୍ଷ ୯୩ ହଜାର ୬୧୪ ଜଣ ଚିକିତ୍ସିତ ହେଉଛନ୍ତି। ସାପ୍ତାହିକ ପଜିଟିଭ୍‌ ହାର ୨.୫୭ ପ୍ରତିଶତ ରହିଛି। ସକ୍ରିୟ ମାମଲା ୧.୧୮ ପ୍ରତିଶତରେ ପହଞ୍ଚିଛି।

ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୪୧ ହଜାର ୭୪୯ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୭୧ କୋଟି ୬୫ ଲକ୍ଷ ୯୭ ହଜାର ୪୨୮ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୮୬ ଲକ୍ଷ ୫୧ ହଜାର ୭୦୧ ଜଣଙ୍କୁ ଟିକା ଦିଆଯାଇଛି।

ଅପରପକ୍ଷରେ ଇତିମଧ୍ୟରେ ୫୩ କୋଟି ୬୮ଲକ୍ଷରୁ ଅଧିକ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୮ ଲକ୍ଷ ୧୭ ହଜାରରୁ ଅଧିକ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୨୩ ଲକ୍ଷ ୪ ହଜାର ୬୧୮ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି।

ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୩୧ ଲକ୍ଷ ୩୯ ହଜାର ୯୮୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କେରଳରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ ହଜାର ୧୯୬ ଜଣ ନୂଆ ଆକ୍ରାନ୍ତଙ୍କୁଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୧୮୧ ଜଣଙ୍କ ମୃତ୍ୟୁ ଘଟିଛି।

Share