Categories: ଜାତୀୟ

ଦିନେ ପିଓକେ ହେବ ଭାରତର…

ନୂଆଦିଲ୍ଲୀ,୨୭।୧୦: ଦିନେ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଭାରତର ଅଂଶ ବିଶେଷ ହେବ। ଭାରତୀୟ ସେନା ଏହି ଲକ୍ଷ୍ୟ ନିଶ୍ଚିତ ପୂରଣ କରିବ। ବାୟୁସେନା କମାଣ୍ଡିଂ-ଇନ-ମୁଖ୍ୟ ଏୟାର ମାର୍ଶଲ ଅମିତ ଦେବ ଭାରତୀୟ ସ୍ଥଳସେନା ଦିବସ ପାଳନ ଅବସରରେ ଏଭଳି କହିଛନ୍ତି।

ବାୟୁସେନାର ୱେଷ୍ଟର୍ଣ୍ଣ କମାଣ୍ଡରେ ସେ କହିଛନ୍ତି ଯେ, ୨୭ ଅକ୍ଟୋବର ୧୯୪୭ରେ ପ୍ରଥମ ଥର ପାଇଁ ଭାରତୀୟ ସେନା କଶ୍ମୀରରେ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କଲା ଏବଂ ସମଗ୍ର କଶ୍ମୀରକୁ ପାକିସ୍ତାନ ଓ କଓ୍ବାଲୀ ଆଦିବାସୀମାନଙ୍କ ହାତରୁ ରକ୍ଷା କରିଥିଲା।

ସେ କହିଛନ୍ତି ଯେ ପାକିସ୍ତାନ କଶ୍ମୀରକୁ ହାତେଇବା ପାଇଁ ବହୁ ଷଡ଼ଯନ୍ତ୍ର କରିଥିଲା। କିନ୍ତୁ ଭାରତୀୟ ସେନା କଶ୍ମୀରକୁ ପାକିସ୍ତାନ ହାତକୁ ଯିବାକୁ ଦେଇ ନ ଥିଲେ। ଭାରତୀୟ ବାୟୁସେନା ଏବଂ ସ୍ଥଳସେନା ବଡ଼ଗାମ୍‌ରେ ମିଳିତ ଅଭିଯାନରେ ସଫଳତା ହାସଲ କରିଛନ୍ତି। କେବଳ ଏତିକି ନୁହେଁ, ଭାରତୀୟ ସେନା ଏଭଳି ବହୁ ଛୋଟବଡ଼ ଅପରେଶନ କରି କଶ୍ମୀରକୁ ସୁରକ୍ଷିତ କରିଛନ୍ତି।

ଭାରତୀୟ ସେନା କଶ୍ମୀରକୁ ଶତ୍ରୁମାନଙ୍କ ହାତକୁ ଯିବାକୁ ଦେଇନାହିଁ। ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି, ପିଓକେ ମଧ୍ୟ ଦିନେ କଶ୍ମୀରର ଏକ ଅଂଶବିଶେଷ ହେବ ଏବଂ ଖୁବ ଶୀଘ୍ର ସମଗ୍ର କଶ୍ମୀରରେ ଭାରତର ଶାସନ ଆରମ୍ଭ ହେବ। କଶ୍ମୀରକୁ ଆତଙ୍କବାଦରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ଲାଗି ଭାରତୀୟ ସେନା ପକ୍ଷରୁ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି।

Share