ବନ ବିଭାଗର ବିଫଳତା: ପୁଣି ଜୀବନ ନେଲା ରେଡିଓକୁଲାର ଲାଗିଥିବା ଦନ୍ତା

ବଣାଇଁ,୪।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନଖଣ୍ଡ କୋଇଡ଼ା ରେଞ୍ଜ ଅଧୀନ ପାଟମୁଣ୍ଡା ଗ୍ରାମରେ ଆତଙ୍କ ସୃଷ୍ଟି କରିଥିବା ଗୋଠଛଡା ଦନ୍ତା ପୁଣି ଉତ୍ପାତ ମଚାଇ ଘର ଭାଙ୍ଗିବା ସହିତ ଘରୁ ଦୌଡ଼ି ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସୋମା ମୁଣ୍ଡା(୫୬)ଙ୍କୁ ଆକ୍ରମଣ କରି କଚାଡି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି l ହାତୀଟି ଏତେ ଉତ୍ତ୍ୟକ୍ତ ଥିଲା ଯେ, ସୋମାଙ୍କୁ ଆକ୍ରମଣ କରି କଚାଡିବା ପରେ ମଧ୍ୟ ପାଦରେ ଦଳି ଦେଇଥିଲା।

ଖବର ପାଇ କୋଇଡ଼ା ବନକର୍ମଚାରୀ ଶୁକ୍ରବାର ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। ସୂଚନାଯୋଗ୍ୟ, ଉକ୍ତ ହାତୀଟି ଦୀର୍ଘ ଦିନ ଧରି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବା ସହ ୧୫ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଲାଣି। କେବଳ ସେତିକି ନୁହେଁ ସମ୍ପୃକ୍ତ ହାତୀ ଆକ୍ରମଣରେ ଅନେକ ଲୋକ ଆହତ ହୋଇଥିବା ବେଳେ ୩ଶହରୁ ଊର୍ଦ୍ଧ୍ୱ ଘର ଭାଙ୍ଗି ସାରିଛି।

ଏଭଳି ଘଟଣାକୁ ନେଇ ଅଞ୍ଚଳବାସୀ ଭୟଭିତ ଅବସ୍ଥାରେ ରହୁଥିବା ବେଳେ ନରହନ୍ତା ହାତୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି। ଏପରିକି ବନ ବିଭାଗର ବିଫଳତା ଯୋଗୁ ଏହି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି।

ସୂଚନା ଯୋଗ୍ୟ, ସମ୍ପୃକ୍ତ ନରହନ୍ତା ହାତୀକୁ ଗତ ମାସ ୧୮ ତାରିଖରେ ତୋଡ଼ା ନିକଟରେ ଟ୍ରାଙ୍କୁଲାଇଜ କରାଯାଇଥିଲା। ଏପରିକି ହାତୀ ଦେହରେ ରେଡିଓକୁଲାର ଲଗାଯାଇ ଗତିବିଧି ଉପରେ ବନ ବିଭାଗ ନଜର ରଖିଥିଲା। ଏହା ସତ୍ତ୍ୱେ ସମ୍ପୃକ୍ତ ଦନ୍ତା ପୁଣି ଜଣଙ୍କ ଜୀବନ ନେଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ବନ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏନେଇ ବଣାଇଁ ଡିଏଫଓଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଫୋନ୍‌ ରିସିଭ କରି ନ ଥିଲେ।