
ତୁମୁଡ଼ିବନ୍ଧ,୨୮ା୩(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ଓ ରାୟଗଡ଼ା ଜିଲା ସଂଯୋଗ କରୁଥିବା ଝିରିପାଣିଠାରୁ ଅମ୍ବାଦୋଳା ରାସ୍ତାର ବର ଗାଁ ଘାଟି ତଳେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ମୃତ ଆଉ ଜଣେ ଆହତ ହୋଇଥିବା ଖବର ଶୁକ୍ରବାର ଜଣାପଡ଼ିଛି। ସେମାନେ ହେଲେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଖଇରମାଳ ଗ୍ରାମର ଫକୀର ଧାରୁଆ(୩୭)ମୃତ ଓ ଭବାନୀ ପାଟଣା ବ୍ଲକ ଅଟାଙ୍ଗଗୁଡ଼ା ଗ୍ରାମର ଅକ୍ଷୟ ଧାରୁଆ(୩୫) ଆହତ ବୋଲି ଜଣାପଡ଼ିଛି।
ସୂଚନାନୁସାରେ, ଗୁରୁବାର ସନ୍ଧ୍ୟାରେ ଦୁଇଜଣ ମିଶି ଓ ଆର-୦୩-ଜି ୯୯୧୯ ନମ୍ବର ବାଇକ୍ରେ ଅମ୍ବାଦଳକୁ କୁଣିଆଘର ଯାଉଥିଲେ। ସେହି ସମୟରେ ଝିରିପାଣିଠାରୁ ଅମ୍ବାଦଳକୁ ସଂଯୋଗ କରୁଥିବା ରାସ୍ତାର ବର ଗାଁ ଘାଟିରେ ସେହି ବାଇକ୍ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ଫକୀର ଧରୁଆଙ୍କର ମୃତ୍ୟୁ ଘଟିଥିବାବେଳେ ଅକ୍ଷୟ ଧରୁଆ ଗୁରୁତର ହୋଇ ରାତିସାରା ସେଠାରେ ପଡ଼ି ରହିଥିଲେ। ଆଜି ସକାଳେ ସେହି ରାସ୍ତା ଦେଇ କିଛି ଯାତ୍ରୀମାନେ ଯାଉଥିବା ବେଳେ ଦୁର୍ଘଟଣା ପରେ ରାସ୍ତାକଡ଼ରେ ପଡ଼ିଥିବା ବ୍ୟକ୍ତିଙ୍କୁ ଦେଖିଥିଲେ। ଏହା ପରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି। କିନ୍ତୁ ଘଟଣାଟି ଘଟିଛି ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଡୁମେରଗୁଡ଼ା ପଞ୍ଚାୟତ ଅଞ୍ଚଳରେ। ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ନ ଥିବା ଜଣାପଡ଼ିଛି।