Advertisement

ରଥଟଣା ବେଳେ ଅଘଟଣ: ବିଦ୍ୟୁତତାର ଲାଗି ଜଣେ ମୃତ, ଜଣେ ଗୁରୁତର

କୋରାପୁଟ,୨୮ା୬(ଅମିତାଭ ବେହେରା): ରଥ ଟାଣିବା ସମୟରେ ରଥରେ ବିଦ୍ୟୁତ ତାର ଲାଗି ଜଣେ ମୃତ ଓ ଜଣେ ଆହତ ହୋଇଛନ୍ତି। କୋରାପୁଟ ଜିଲା କୋଲାବ ବହୁମୁଖୀ ଜଳ ବିଦ୍ୟୁତ ଯୋଜନାର ଡ୍ୟାମ ସାଇଟ୍‌ରେ ଥିବା କୋଲାବ ନଗରରେ ଆଜି ବାହୁଡ଼ା ଯାତ୍ରା ସମୟରେ ତିନି ଠାକୁରଙ୍କ ଲୁହାର ରଥ ରାସ୍ତା ଉପର ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଯୋଗୁ ଜଣେ ଯୁବକଙ୍କ ବିଦ୍ୟୁତତାର ଲାଗି ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ପ୍ରକଳ୍ପ କର୍ମଚାରୀ ଗୁରୁତର ହୋଇ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସମ୍ପୂର୍ଣ୍ଣ ରୂପେ ଲୁହାରେ ତିଆରି ଏହି ରଥ ଅନେକ ବର୍ଷ ଧରି ରଥଯାତ୍ରାରେ ସାମିଲ ହୋଇଥିବା ବେଳେ ପ୍ରତିଥର ଯାତ୍ରା ସମୟରେ ରାସ୍ତା ଉପର ଦେଇ ଯାଇଥିବା ବିଦ୍ୟୁତ ତାରକୁ କାଢ଼ି ଦିଆଯାଏ। କିନ୍ତୁ ଆଜି ଟାଟା କମ୍ପାନୀର କର୍ମଚାରୀ ବିଦ୍ୟୁତ ତାର କୁ କାଢ଼ି ନ ଥିବାରୁ ଭକ୍ତମାନେ ରଥ ଟାଣିବା ସମୟରେ ରଥଟିରେ ବିଦ୍ୟୁତ ତାର ଲାଗି ଯାଇଥିଲା। ରଥର ବ୍ରେକ୍‌ ଚାଳନା କରୁଥିବା ବେଳେ ୨୮ ବର୍ଷୀୟ ଯୁବକ ବାବୁଲା ନାହାକ କରେଣ୍ଟରେ ଲାଗି ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ରଥର ଉପର ଭାଗରେ ରଥ ପରିଚାଳନା କରୁଥିବା ସମୟରେ ଆଉ ଜଣେ ବୟସ୍କ ବ୍ୟକ୍ତି କ୍ରିଷ୍ଣା ରାଓ ଗୁରୁତର ହୋଇଛନ୍ତି। ତାଙ୍କୁ ସଂକଟାପନ୍ନ ଅବସ୍ଥାରେ କୋରାପୁଟସ୍ଥିତ ମେଡିକାଲ କଲେଜର ଆଇସିୟୁରେ ଭର୍ତ୍ତି କରାଯାଇଛି। ଏହି ରଥଟି ଶ୍ରୀ ଗୁଣ୍ଡିଚା ଯାତ୍ରା ଦିନ ମଧ୍ୟ ରଥଟଣା ହେବା ସମୟରେ ଏକ ମହୁମାଛି ବସାରେ ଲାଗି ଯାଇଥିବା ଯୋଗୁ ଅନେକ ବ୍ୟକ୍ତି ମହୁମାଛି ଆକ୍ରମଣର ଶିକାର ହୋଇଥିଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ହସ୍ପିଟାଲରେ ମୃତଦେହ ନିକଟରେ ପରିବାରବର୍ଗ ଓ କୋଲାବବାସୀଙ୍କ ଶୋକାକୁଳ ପରିବେଶ ମଧ୍ୟରେ ରଥ ପରିଚାଳକ ଏବଂ ବିଦ୍ୟୁତ ବିଭାଗ ମଧ୍ୟରେ ସମନ୍ବୟର ଅଭାବରେ ଏପରି ଦୁର୍ଘଟଣା ଘଟିଯାଇଥିବା ସ୍ଥାନୀୟ ଲୋକେ କ୍ଷବ ପ୍ରକାଶ କରି ଟାଟା କମ୍ପାନୀର କର୍ମକର୍ତ୍ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି। ଏ ନେଇ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଅପରପକ୍ଷେ ଏହି ଘଟଣା ନେଇ କୋରାପୁଟ ସଦର ଥାନା ପକ୍ଷରୁ ଘଟଣାର ତଦନ୍ତ ଚାଲିଥିବା ସଦର ଥାନାଧିକାରୀ କିରଣବାଳା ସାମଲ ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share