Categories: ଜାତୀୟ

୨ ଯୁବତୀଙ୍କ ଉପରେ ମାଡ଼ିଗଲା ପୋଲିସ ଭ୍ୟାନ୍‌

ଜଳନ୍ଧର, ୧୮।୧୦: ପଞ୍ଜାବର ଜଳନ୍ଧର ସହରରେ ସୋମବାର ପୋଲିସ ଭ୍ୟାନ୍‌ ମାଡ଼ିଯାଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକେ ଜଳନ୍ଧର-ଫଗଓ୍ବାରା ଜାତୀୟ ରାଜପଥ ଅବରୋଧ କରିଥିଲେ। ଗାଡ଼ି ଚଳାଉଥିବା ପୋଲିସ ଇନ୍‌ସ୍ପେକ୍ଟରଙ୍କୁ ଗିରଫ କରାଯାଇଛି। ସିସିଟିଭି କ୍ୟାମେରାରେ ଉକ୍ତ ହିଟ୍‌ ଆଣ୍ଡ ରନ୍‌ ଦୃଶ୍ୟ କଏଦ ହୋଇଛି।

ରିପୋର୍ଟ ଅନୁଯାୟୀ ଦୁଇଜଣ ଯୁବତୀ ରାସ୍ତା ପାର ହେବା ପାଇଁ ଜଳନ୍ଧର କ୍ୟାଣ୍ଟନମେଣ୍ଟ ଅଞ୍ଚଳର ଏକ ରୋଡ୍‌ ଡିଭାଇଡରରେ ଛିଡ଼ା ହୋଇଥିଲେ। ସେତିକି ବେଳେ ଏକ ଧଳା ରଙ୍ଗର କାର ସେମାନଙ୍କ ଆଡ଼କୁ ଦ୍ରୁତ ବେଗରେ ମାଡ଼ିଆସି ଧକ୍କା ଦେଇ ଚାଲିଯାଇଥିଲା। କାର୍‌ ଶୋ’ରୁମ୍‌ରେ କାର୍ଯ୍ୟ କରୁଥିବା ନବଜୋତ୍‌ କୌରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବତୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୋଲିସ ଇନ୍ସପେକ୍ଟର ଅମ୍ରିତ୍‌ ପାଲ୍‌ ସିଂ ଉକ୍ତ ଗାଡ଼ି ଚଳାଉଥିଲେ। ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ପାଇଁ ନବଜୋତ୍‌ଙ୍କ ମାଆ ତେଜିନ୍ଦର କୌର ଦାବି କରିଛନ୍ତି। ଅମ୍ରିତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ନ ହେବା ପର୍ଯ୍ୟନ୍ତ ରାଜପଥରୁ ଅବରୋଧ ହଟିବ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ରାସ୍ତା ଅବରୋଧ ଯୋଗୁ ସହରର ବିଭିନ୍ନ ସ୍ଥାନରେ ପ୍ରବଳ ଟ୍ରାଫିକ୍‌ ଜାମ ହୋଇଥିଲା। କାରରେ ଇନ୍‌ସ୍ପେକ୍ଟର ଅମ୍ରିତ ଏକା ଥିଲେ ଓ ତାଙ୍କୁ ଗିରଫ କରାଯାଇଛି ବୋଲି ଜଳନ୍ଧର ଏଡିସିପି ସୁହେଲ ମିର୍‌ କହିଛନ୍ତି।

Share