Categories: ଜାତୀୟ

ହଠାତ୍‌ ଗାଁର ଭୂମି ଫାଟି ହେଲା ଦୁଇ ଫାଳ, ଆଉ ତା’ ପରେ…

ଭୋପାଳ,୩୦ା୬: ମଧ୍ୟପ୍ରଦେଶର ଭିଡ ଜିଲାର ଏକ ଗାଁରେ ହଠାତ୍‌ ଭୂମି ଫାଟି ୨ ଫାଳ ହୋଇଗଲା। ପ୍ରାୟ ୧ ଫୁଟ ଚଉଡ଼ା ଏବଂ ୨୦୦ ମିଟର ଲମ୍ବର ଭୂମି ଫାଟି ଆଁ କରିଛି। ଏହାପରେ ଗ୍ରାମବାସୀ ଭୂମି ଫାଟିବାର କାରଣ ଜାଣିବା ପାଇଁ ଜିଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି। ପରେ ଜିଲାପାଳ ଜୀବାଜୀ ବିଶ୍ୱବିଦ୍ୟାଳୟର ଭୂବିଜ୍ଞାନୀଙ୍କ ସହ ଆଲୋଚନା କରିଛନ୍ତି।

ଇଙ୍ଗରି ଗାଁରେ ହଠାତ୍‌ ଜମି ଫାଟିଯାଇଥିଲା। ଏହି ସମୟରେ ଗ୍ରାମବାସୀ ଗୋରୁ ଚରାଇବାକୁ ଯାଇଥିବା ବେଳେ ଏପରି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ସମୟ ମଧ୍ୟରେ ଜଙ୍ଗଲରେ ମଧ୍ୟ ଭୂମି ଫାଟି ଆଁ କରିଥିଲା। ଗାଁର କିଛି ଯୁବକ ଭୂମି ଫାଟିବାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ପ୍ରଶାସନକୁ ଜଣାଇଥିଲେ। ଗ୍ରାମବାସୀ ଏନେଇ ଭୟଭୀତ ହୋଇପଡ଼ିଛନ୍ତି।

ଭିଡ୍‌ ଜିଲାପାଳ ସତୀଶ କୁମାର କୁହନ୍ତି, ଏନେଇ ସେ ଜୀବାଜୀ ବିଶ୍ୱବିଦ୍ୟାଳୟର ଭୂବିଜ୍ଞାନୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହାର ଯାଞ୍ଚ କରାଯାଉଛି। ଖୁବ୍‌ଶୀଘ୍ର ଏକ ଟିମ୍‌ ଗାଁକୁ ଯାଇ ଯାଞ୍ଚ କରିବେ। ଏଥିରେ ଭୟ କରିବାର କୌଣସି କାରଣ ନାହିଁ ବୋଲି ଜିଲାପାଳ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି।

Share