Categories: ଜାତୀୟ

ମୋଦି କ୍ୟାବିନେଟରେ ଏନ୍‌ଡିଏର ଜଣେ

ନୂଆଦିଲ୍ଲୀ,୧୨ା୧୦: ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ପ୍ରତିଷ୍ଠାତା ରାମବିଲାସ ପାଶ୍ୱାନଙ୍କ ପରଲୋକ ପରେ କେନ୍ଦ୍ର ସରକାରରେ ଏବେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ମାତ୍ର ଗୋଟିଏ ସହଯୋଗୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଶାସକ ମେଣ୍ଟର ଅଂଶୀଦାର ଦଳଗୁଡ଼ିକ ମଧ୍ୟରୁ କେବଳ ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆ (ଆର୍‌ପିଆଇ) ଅଧ୍ୟକ୍ଷ ରାମଦାସ ଅଠାଓ୍ବଲେ ମନ୍ତ୍ରୀ ଭାବେ ରହିଛନ୍ତି। ମୋଦି ୨.୦ ସରକାରରେ ଅଠାଓ୍ବଲେଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ କରାଯାଇଛି। ଭାଜପାର ଅନ୍ୟ କୌଣସି ସହଯୋଗୀ ଦଳର କେହି ନେତା ବର୍ତ୍ତମାନ ଏନ୍‌ଡିଏ ସରକାରରେ ମନ୍ତ୍ରୀପଦରେ ନାହାନ୍ତି।
ପୂର୍ବରୁ ଏନ୍‌ଡିଏ ସରକାରରେ ମନ୍ତ୍ରୀ ଥିବା ଶିବସେନାର ଅରବିନ୍ଦ ସାଓ୍ବନ୍ତ ଓ ଶିରୋମଣୀ ଅକାଳୀ ଦଳ (ଏସ୍‌ଏଡି)ର ହରସିମରତ କୌର ବାଦଲ ଇସ୍ତଫା ଦେଇଥିଲେ। ଗତବର୍ଷ ଶେଷ ଆଡ଼କୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଉପୁଜିବା ପରେ ଶିବସେନା ଏନ୍‌ଡିଏ ଛାଡ଼ିଥିବାବେଳେ ନିକଟରେ ବିବାଦୀୟ କୃଷି ବିଲ୍‌କୁ ବିରୋଧ କରି ଅକାଳୀ ଦଳ ଶାସକ ମେଣ୍ଟରୁ ଓହରିଯାଇଥିଲା। ଏନ୍‌ଡିଏର ଅନ୍ୟତମ ସହଯୋଗୀ ସଂଯୁକ୍ତ ଜନତା ଦଳ (ଜେଡିୟୁ) ମୂଳରୁ ସରକାର ବାହାରେ ରହିଛି। କେବଳ ବିହାରରେ କ୍ଷମତାରେ ରହିବା ପାଇଁ ନୀତୀଶ କୁମାରଙ୍କ ଦଳ ଏହି ମେଣ୍ଟରେ ସାମିଲ ହୋଇଥିବା କୁହାଯାଉଛି।
ପ୍ରଧାନମନ୍ତ୍ରୀଙ୍କୁ ବାଦ୍‌ଦେଲେ ତାଙ୍କ କ୍ୟାବିନେଟରେ ମୋଟ ୫୭ ଜଣ ସଦସ୍ୟ ଅଛନ୍ତି। ୨୦୧୯ ମେ ୩୦ରେ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟମାନେ ଶପଥ ନେଇଥିଲେ। ୨୪ କ୍ୟାବିନେଟ ମନ୍ତ୍ରୀ, ୯ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ପାହ୍ୟା) ଓ ୨୪ ରାଷ୍ଟ୍ରମନ୍ତ୍ରୀ ଥିଲେ। ସାଓ୍ବନ୍ତ ଓ ହରସିମରତଙ୍କ ଇସ୍ତଫା ଏବଂ ପାଶ୍ୱାନଙ୍କ ପରଲୋକ ପରେ କ୍ୟାବିନେଟ ମନ୍ତ୍ରୀଙ୍କ ସଂଖ୍ୟା ୨୧କୁ ଖସିଛି। ସେହିପରି ନିକଟରେ କରୋନା ସଂକ୍ରମିତ ହୋଇ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଡିଙ୍କ ଦେହାନ୍ତ ହେବା ପରେ ରାଷ୍ଟ୍ରମନ୍ତ୍ରୀଙ୍କ ସଂଖ୍ୟା ୨୩କୁ ହ୍ରାସ ପାଇଛି। ସମ୍ବିଧାନ ଅନୁସାରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପ୍ରଧାନମନ୍ତ୍ରୀ ୮୦ ସଦସ୍ୟଙ୍କୁ ସାମିଲ କରିପାରିବେ।

Share