Advertisement

ଘର ଗୋଟିଏ, ବିଲ୍‌ ଆସୁଛି ଦୁଇଟି

ନନ୍ଦପୁର, ୧।୧୦(ଶଙ୍କର ପୂଜାରୀ)ଟିପିଏସ୍‌ଓଡିଏଲ୍‌ର ଅଜବ ନୀତି ନନ୍ଦପୁର ଅଞ୍ଚଳରେ ଦେଖିବାକୁ ମିଳିଛି। ଘର ଓ ବିଦ୍ୟୁତ୍‌ ମିଟର ଗୋଟିଏ ଥିବା ବେଳେ ପରିବାରର ସ୍ବାମୀ ସ୍ତ୍ରୀଙ୍କ ନିକଟକୁ ଅଲଗା ଅଲଗା ଦୁଇଟି ଲେଖାଏ ବିଦ୍ୟୁତ୍‌ ବିଲ୍‌ ପ୍ରଦାନ କରାଯାଉଛି। ବିଲ୍‌ରେ ସ୍ବାମୀଙ୍କ ଅଲଗା ଓ ସ୍ତ୍ରୀଙ୍କ ଅଲଗା ବିଦ୍ୟୁତ୍‌ ଉପଭୋକ୍ତା ନମ୍ବର ଓ ମିଟର ନମ୍ବର ପଡ଼ିଥିବାରୁ ଏନେଇ ବିଭିନ୍ନ ସନ୍ଦେହ ପ୍ରକାଶ ପାଇଛି। ଏଭଳି ବିଲ୍‌ ଜଣେ କି ଦୁଇ ଜଣଙ୍କର ନୁହେଁ ନନ୍ଦପୁର ବ୍ଲକ ପାଡୁଆ ପଞ୍ଚାୟତର ଗାଲଗାଣ୍ଡା ଗ୍ରାମରେ ଥିବା ୧୧୭ ଜଣ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଦୁଇଟି ଲେଖାଏ ବିଲ୍‌ ପ୍ରଦାନ କରାଯାଇଥିବା ଗ୍ରାମର ୱାର୍ଡସଭ୍ୟା ପୂର୍ଣ୍ଣିମା ଖରା ଜୟରାମ ଖରା ବଳରାମ ଖରା, ଶିବ ଗୁଞ୍ଜିଆ, ସୋମନାଥ ଖରା, ତ୍ରିନାଥ ହନ୍ତାଳ, ଭଗବାନ ବୁରୁଡ଼ି, ବଳରାମ ପୂଜାରୀ, ଲକ୍ଷ୍ମୀ ଖିଲ, ପର୍ଶୁରାମ ପାଙ୍ଗି ପ୍ରମୁଖ ଅଭିଯୋଗ କରିଛନ୍ତି।
ପାଡୁଆ ପଞ୍ଚାୟତର ୮ ନମ୍ବର ୱାର୍ଡ ଦୁର୍ଗମ ଗାଲଗାଣ୍ଡା ଗ୍ରାମରେ ୧୨୦ ପରିବାର ବସବାସ କରନ୍ତି। ସେଥିରୁ ୧୧୭ ପରିବାର ବିଦ୍ୟୁତ୍‌ ଉପଭୋକ୍ତା ଅଛନ୍ତି। ସମସ୍ତଙ୍କ ଘରେ ମିଟର ଓ ସମସ୍ତେ ମାସିକ ବିଦ୍ୟୁତ୍‌ ଦେୟ ପ୍ରଦାନ କରୁଛନ୍ତି। ମାତ୍ର ଚଳିତ ମାସରେ ଆସିଥିବା ବିଦ୍ୟୁତ୍‌ ବିଲରେ ଏପରି ତ୍ରୁଟି ଦେଖାଦେଇଛି। ପରିବାରର ସ୍ବାମୀ ସ୍ତ୍ରୀଙ୍କୁ ଅଲଗା ଅଲଗା କରାଯାଇ ଗୋଟିଏ ମିଟର ପିଛା ଦୁଇଟି ଲେଖାଏ ବିଲ୍‌ ପ୍ରଦାନ କରାଯାଇଛି। ଗ୍ରାମର ପର୍ଶୁରାମ ପାଙ୍ଗୀ ଓ ସ୍ତ୍ରୀ ମଇନା ପାଙ୍ଗୀ, ତ୍ରିନାଥ ହନ୍ତାଳ ଓ ସ୍ତ୍ରୀ ସୀତାମା ହନ୍ତାଳ, ଧନଶ୍ୟାମ ପୂଜାରୀ ଓ ସ୍ତ୍ରୀ କାଲିମା ପୂଜାରୀ, ସୋମନାଥ ଖରା ଓ ସ୍ତ୍ରୀ ବିମଳା ଖରାଙ୍କ ନାମରେ ଦୁଇଟି ଲେଖାଏ ବିଲ୍‌ ଆସିଛି। ଏନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ବିଭାଗୀୟ କର୍ତ୍ତୃପକ୍ଷ ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ ସୁନାବେଡା ଟିପିଏସ୍‌ଓଡିଏଲ୍‌ ସହକାରୀ ଯନ୍ତ୍ରୀ ବିଶିକେଶନ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏହାର ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel