କେନ୍ଦ୍ରାପଡା ଅଫିସ, ୪ା୩: ଚଳିତ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ଗହୀରମଥା ତଟାଞ୍ଚଳରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଅଲିଭ୍ରିଡ୍ଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ପୂର୍ଣ୍ଣିମା ତିଥି ମଧ୍ୟରେ ଅନୂକୂଳ ପବନ ଆସିଲେ ଗହୀରମଥା ନିଷିଦ୍ଧାଞ୍ଚଳରେ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ହେବ। ଆଇୟୁସିଏନ୍ ରେଡ ଡାଟା ଲିଷ୍ଟରେ ଥିବା ଏହି ବିରଳ ଜୀବ ଥରକେ ୮୦ରୁ ୧୨୦ ପର୍ଯ୍ୟନ୍ତ ଅଣ୍ଡାଦାନ କରିଥାନ୍ତି। ତେବେ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ହଜାରେ ଅଣ୍ଡାରୁ ମାତ୍ର ଗୋଟିଏ ଅଲିଭ୍ରିଡ୍ଲେ ୫୦ବର୍ଷରୁ ଊର୍ଦ୍ଧ୍ୱ ବଞ୍ଚତ୍ଥାଏ। ସେହିପରି ଏହି ସାମୁଦ୍ରିକ ପ୍ରାଣୀର ଜୀବନ ଚକ୍ର ଏବେ ବି ରହସ୍ୟାବୃତ ବୋଲି ସେମାନେ ମତ ଦେଇଥାନ୍ତି। ଏହି ଜୀବର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି।
ଏ ସମ୍ପର୍କରେ ବିଶେଷଜ୍ଞ ଅଧ୍ୟାପକ ଦେବୀପ୍ରସାଦ ସାହୁ, ଅଧ୍ୟାପକ କ୍ଷୀତିଶ କୁମାର ସିଂହ, ହେନ୍ତାଳ ବଣ ଓ ସାମୁଦ୍ରିକ କଇଁଛ ସୁରକ୍ଷା ସମିତି ସମ୍ପାଦକ ହେମନ୍ତ କୁମାର ରାଉତ, ପରିବେଶବିତ୍ ବିରଜା ପ୍ରସାଦ ପତି ପ୍ରମୁଖ କହିଛନ୍ତି, ଅଣ୍ଡା ନଷ୍ଟ ହେବା, ପାଣିପାଗ ପରିବର୍ତ୍ତନ, ସାମୁଦ୍ରିକ ଜୀବଜନ୍ତୁଙ୍କ ଶିକାର, ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ଉନ୍ନତୀକରଣ, ମନୁଷ୍ୟକୃତ ଅନ୍ୟ ବାଧା ପାଇଁ ଏମାନଙ୍କ ସଂଖ୍ୟା କମୁଛି। ଏହା ବ୍ୟତୀତ ଅଣ୍ଡା ଓ ଶାବକଙ୍କୁ କଙ୍କଡ଼ା, ପକ୍ଷୀ, ସରୀସୃପ, କୁକୁର ଓ ବନ୍ୟଜନ୍ତୁ ଭୟ ରହିଛି। ଶାବକ ସାଧାରଣରେ ଅଣ୍ଡାରୁ ବାହାରିବା ପରେ ଆଲୋକ ଦେଖି ସମୁଦ୍ରକୁ ଯାଇଥାନ୍ତି। ତଟବର୍ତ୍ତୀ ଅଞ୍ଚଳର ଗାଡ଼ି ମୋଟର ଆଲୋକ ଏମାନଙ୍କୁ ପଥଭ୍ରଷ୍ଟ କରେ। ସମୁଦ୍ର କୂଳରେ ଥିବା ପ୍ଲାଷ୍ଟିକ ବୋତଲ, ଛିଣ୍ଡା ଜାଲ, ବ୍ୟାଗ ଆଦି ସମୁଦ୍ରକୁ ଯିବାରେ ବାଧା ସୃଷ୍ଟି କରୁଥିବା ବେଳେ ଅଣ୍ଡା ଓ ଶାବକକୁ କେତେକ ବ୍ୟବସାୟ ଉଦ୍ଦେଶ୍ୟରେ ନେଇଥାନ୍ତି। ସମୁଦ୍ର ମଧ୍ୟରେ ମଧ୍ୟ ଏମାନଙ୍କ ଜୀବନ ସୁରକ୍ଷିତ ନୁହେଁ। ଜାଲରେ ପଡ଼ିବା, ସମୁଦ୍ରରେ ଭାସୁଥିବା ପ୍ଲାଷ୍ଟିକ ଓ ବର୍ଜ୍ୟବସ୍ତୁକୁ ଆହାର ଭାବେ ଗ୍ରହଣ କରିବା, କେତେକ ସ୍ଥାନରେ ସମୁଦ୍ରରେ ଭାସମାନ ତୈଳରେ ନିଃଶ୍ୱାସ ନେବା, ସାମୁଦ୍ରିକ ପକ୍ଷୀ ଓ ଜୀବଙ୍କ ଦ୍ୱାରା ଶିକାର ହେବା ଦ୍ୱାରା ଏମାନଙ୍କ ବଂଶ ବିସ୍ତାରରେ ବାଧା ସୃଷ୍ଟି ହୁଏ। ଏହି ବିରଳ ଜୀବଙ୍କ ଜୀବନଚକ୍ର ସମ୍ପର୍କରେ ଜାଣିବାକୁ ପିଠିରେ ସାଟେଲାଇଟ ଟ୍ରାନ୍ସମିଟର ଏବେ କେତେକଙ୍କଠାରେ ଲଗାଯାଉଛି। ଅଦ୍ୟାବଧି ଏମାନଙ୍କ ଜୀବନଚକ୍ର ରହସ୍ୟମୟ ହୋଇ ରହିଛି। ଅଲିଭ୍ ରିଡ୍ଲେଙ୍କ ସୁରକ୍ଷା ପାଇଁ ନଭେମ୍ବରରୁ ମେ’ ଶେଷ ଯାଏ ସାମୁଦ୍ରିକ କଟକଣା ରହୁଛି। ଏଥିସହ ସମୁଦ୍ରକୂଳରେ ବର୍ଜ୍ୟବସ୍ତୁ ନ ଫିଙ୍ଗିବା ଏକ ଉତ୍ତମ ଅଭ୍ୟାସ। ଅଣ୍ଡାଦାନ ସମୟରେ ଉଜ୍ଜ୍ୱଳ ଆଲୋକ ବ୍ୟବହାର ନ କରିବା, ଗଭୀର ସମୁଦ୍ରରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ଅଲ୍ଟ୍ରା ଭାଓଲେଟ୍ ଡାୟୋଡ ଲାଇଟ୍ଯୁକ୍ତ ଜାଲ ବ୍ୟବହାର କଲେ ଏହି ବିରଳ ପ୍ରଜାତିର ବଂଶ ବିସ୍ତାର ହୋଇପାରିବ। ଭିତରକନିକା ଗହୀରମଥା ତଟାଞ୍ଚଳ କ୍ଷୟ ଏବେ ଏମାନଙ୍କ ପ୍ରଜନନସ୍ଥଳକୁ ସଂକ୍ଷିପ୍ତ କରୁଛି। ତଟାଞ୍ଚଳର ସୁରକ୍ଷା ପାଇଁ ହେନ୍ତାଳ ବଣର ଆବଶ୍ୟକତା ଥିବା ସେମାନେ କହିଛନ୍ତି। ଏ ସମ୍ପର୍କରେ ରେଞ୍ଜ୍ ଅଫିସର ମାନସ କୁମାର ଦାସଙ୍କୁ ପଚାରିବାରେ ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷାକୁ ଚଳିତ ବର୍ଷ ପ୍ରାଧାନ୍ୟ ଦିଆଯାଇଛି। ସାମୁଦ୍ରିକ କଟକଣାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଦିବାରାତ୍ର ପାଟ୍ରୋଲିଂ ଚାଲିଛି। ଏଥିପାଇଁ ବନ ବିଭାଗ ପକ୍ଷରୁ ଅଧିକ କର୍ମଚାରୀ ନିଯୁକ୍ତ କରାଯାଇଛି ବୋଲି ସେ କହିଛନ୍ତି।