ପ୍ରତି ୫ରେ ଜଣେ କର୍ମଚାରୀ ଉତ୍ପୀଡ଼ନର ଶିକାର

ଜେନେଭା,୭।୧୨: ବିଶ୍ୱରେ ପ୍ରତି ୫ ଜଣ କର୍ମଚାରୀଙ୍କ ମଧ୍ୟରୁ ଜଣେ କିମ୍ବା ତା’ଠାରୁ ଅଧିକ କାର୍ଯ୍ୟସ୍ଥଳରେ ଉତ୍ପୀଡ଼ନ କିମ୍ବା ହିଂସାର ଶିକାର ହେଉଛନ୍ତି। ଜାତିସଂଘ ଏବଂ ଇଣ୍ଟରନ୍ୟାଶନାଲ ଲେବର ଅର୍ଗାନାଇଜେଶନ୍‌ (ଆଇଏଲ୍‌ଓ) ପକ୍ଷରୁ ମିଳିତ ଭାବେ କରାଯାଇଥିବା ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ୧୨୧ ଦେଶର ୭୪,୩୬୪ କର୍ମଚାରୀଙ୍କୁ ନେଇ ଏହି ସର୍ଭେ ହୋଇଛି। ଅଫିସ ବା କାର୍ଯ୍ୟସ୍ଥଳରେ କର୍ମଚାରୀଙ୍କ ଉପରେ ନିର୍ଯାତନାର ମାତ୍ରା କ୍ରମାଗତ ବଢ଼ିଚାଲିଥିବା ଜାତିସଂଘ ମତ ପ୍ରକାଶ କରିଛି।
ତଥ୍ୟ ଅନୁସାରେ ବିଶ୍ୱରେ ୭୪୩ ନିୟୁତ କର୍ମଚାରୀ (୨୨.୮% ଲୋକ) ଅଫିସରେ ବିଶେଷ ଭାବେ ଗୋଟିଏ ପ୍ରକାର ହିଂସା କିମ୍ବା ଉତ୍ପୀଡ଼ନର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ କର୍ମଚାରୀଙ୍କ କହିବା କଥା କର୍ମସ୍ଥଳରେ ସେମାନଙ୍କୁ ଏକାଧିକ ପ୍ରକାରର ନିର୍ଯାତନା ଦିଆଯାଇଛି। ୫ ବର୍ଷପୂର୍ବେ ସମାନ ସ୍ଥିତି ଦେଇ ଗତି କରିଥିବା ୫୫% କର୍ମଚାରୀ ଅନ୍ୟମାନଙ୍କ ଆଗରେ ଏ ବିଷୟରେ ଆଲୋଚନା କରିଛନ୍ତି।
କର୍ମସ୍ଥଳରେ ୧୭.୯% କର୍ମଚାରୀ (୫୮୩ ନିୟୁତ ଲୋକ) ମାନସିକ ନିର୍ଯାତନାର ଶିକାର ହୋଇଥିବାବେଳେ ୮.୫% (୨୭୭ ନିୟୁତ) କର୍ମଚାରୀ ଶାରୀରିକ ହିଂସା ଭୋଗିଛନ୍ତି। ଜାତିସଂଘ ରିପୋର୍ଟ ମୁତାବକ ୬.୩% କର୍ମଚାରୀଙ୍କୁ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଦିଆଯାଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଲଜ୍ଜାବୋଧ ଯୋଗୁ ଅନେକେ ଏ ବିଷୟରେ ଆଲୋଚନା କରିବାକୁ ପଛାଉଥିବାବେଳେ ଆଉ କେତେଜଣ ନିଜ ଉପରେ ହେଉଥିବା ନିର୍ଯାତନାକୁ ସହିଯାଉଥିବା ଜଣାପଡ଼ିଛି। କାର୍ଯ୍ୟସ୍ଥଳରେ ହିଂସା ଏବଂ ନିର୍ଯାତନା ନିଷିଦ୍ଧ କରାଯିବାର ବିଷୟ। ଏହା ବିରୋଧରେ କୌଣସି ନିର୍ଦ୍ଦିଷ୍ଟ ନୀତି ନ ଥିବା ଯୋଗୁ ଏ ପ୍ରକାର ଘଟଣା ବୃଦ୍ଧି ପାଉଥିବା ଆଇଏଲ୍‌ଓ ଆସିଷ୍ଟାଣ୍ଟ ଡିରେକ୍ଟର ଜେନେରାଲ ମୁନୁଏଲା ଟୋମ କହିଛନ୍ତି।

Share