ଚାରି ଶହରେ ଜଣେ

ସତରେ ୟାକୁ ହିଁ କହନ୍ତି ଭାଗ୍ୟଦେବୀ ପ୍ରସନ୍ନ ହେବା। ପ୍ରଥମ ସିନେମାରେ ଅଡିସନ ଦେବା ବେଳେ ସେ କେବେ ବିଶ୍ୱାସ କରି ନ ଥିଲେ ଯେ ଏଥିରେ ସେ ସିଲେକ୍‌ସନ ହେବେ। କାରଣ ଏହି ସିନେମାର ନାୟିକା ହେବା ପାଇଁ ତାଙ୍କୁ ନେଇ ମୋଟ ୪୦୦ ପ୍ରତିଯୋଗୀ ଥିଲେ। ପୁଣି କରନ୍‌ ଜୋହରଙ୍କ ପରି ପ୍ରଯୋଜକ, ଯିଏ କି ଆକ୍ଟିଂ ଉପରେ କେତେ ଗୁରୁତ୍ୱ ଦିଅନ୍ତି ତାହା କହିବା ବାହୁଲ୍ୟ। କିନ୍ତୁ ଶେଷରେ ବାଜିମାରିଥିଲେ ସେ। ହଁ, ଏହି ନାୟିକା ଜଣକ ହେଉଛନ୍ତି ଆଲିୟା ଭଟ୍ଟ। କରନ୍‌ଙ୍କ ସିନେମା ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ରେ ନାୟିକା କିଏ ହେବ ସେଥିପାଇଁ ଅଡିସନ୍‌ ହୋଇଥିଲା। ଆଉ ଏଥିରେ ଅଂଶଗ୍ରହଣ କରିଥିବା ୪୦୦ ନବାଗତାଙ୍କ ମଧ୍ୟରୁ ବାଜି ମାରିନେଇଥିଲେ ମହେଶ ତନୟା ଆଲିୟା। ଏ ସମ୍ପର୍କରେ ସେ କହନ୍ତି, ‘ଅଡିସନ୍‌ ଦେବା ପରେ ମଁୁ ଯେ, କେବେ ଏଥିରେ ସିଲେକ୍‌ସନ ହେବି ସେ ନେଇ ବିଶ୍ୱାସ ନ ଥିଲା। ହେଲେ ମୋର ଅଭିନୟ ପ୍ରଯୋଜକ ଏବଂ ନିର୍ଦ୍ଦେଶକଙ୍କୁ ପ୍ରଭାବିତ କରିଥିଲା। ଏହି ଫିଲ୍ମଟି ମଧ୍ୟ ମୋତେ ବେଶ୍‌ ମାଇଲେଜ ଦେଇଥିଲା।’ ସୂଚନାଯୋଗ୍ୟ ସଞ୍ଜୟ ଲୀଲା ଭଁସାଲିଙ୍କ ରିଲିଜ ଅପେକ୍ଷାରେ ଥିବା ସିନେମା ‘ଗାଙ୍ଗୁବାଇ କାଠିଆଓ୍ବାଡି’ରେ ଆଲିୟା ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମଟି ଚଳିିତବର୍ଷ ଜୁଲାଇ ୩୦ରେ ରିଲିଜ ହେବାର ଯୋଜନା ରହିଛି।

Share