ପ୍ରତି ୩ରେ ଜଣେ ମହିଳା ପୀଡ଼ିତା

ନୂଆଦିଲ୍ଲୀ, ୧୧ା୩: ପୁରୁଷ ପ୍ରଧାନ ସମାଜରେ ନିର୍ଯାତନାରୁ ନିସ୍ତାର ପାଇନାହାନ୍ତି ମହିଳା। ଗୋଟିଏ କି ଦୁଇଟି ଦେଶ ନୁହେଁ, ସାରା ବିଶ୍ୱରେ ମହିଳାଙ୍କ ବିରୋଧରେ ହିଂସା ବଢ଼ିବାରେ ଲାଗିଛି। ପ୍ରତି ୩ ଜଣରେ ଜଣେ ମହିଳା ବା ଝିଅ ହିଂସା ଅଥବା ଯୌନ ନିର୍ଯାତନାର ଶିକାର ହେଉଛନ୍ତି। ବିଶେଷକରି ୧୫ ବର୍ଷ ବୟସ୍କାଙ୍କ ଜୀବନରେ ଆରମ୍ଭ ହୋଇଯାଉଛି ଅତ୍ୟାଚାରର କଳଙ୍କିତ ଅଧ୍ୟାୟ। ଅଧିକାଂଶ କ୍ଷେତ୍ରରେ ଅନ୍ତରଙ୍ଗ ସାଥୀ ବା ସ୍ବାମୀଙ୍କ ଉତ୍ପୀଡ଼ନକୁ ସହ୍ୟ କରିବାକୁ ପଡ଼ୁଛି। ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେବା ଭଳି ଏହି ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)।
ନିକଟରେ ବିଶ୍ୱ ପାଳିଛି ଅନ୍ତର୍ଜାତୀୟ ମହିଳା ଦିବସ। ମହିଳା ନିର୍ଯାତନାରେ ରୋକ ଲଗାଇବା ପାଇଁ ସଚେତନତା ସୃଷ୍ଟିି ଉଦ୍ଦେଶ୍ୟରେ ସୋମବାର ପାଳିତ ଏହି ସ୍ବତନ୍ତ୍ର ଦିବସର ତାତ୍ପର୍ଯ୍ୟ ଅବୁଝା ହୋଇରହିଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସଦ୍ୟ ପ୍ରକାଶିତ ଅଧ୍ୟୟନ ରିପୋର୍ଟ ବିଶ୍ୱବ୍ୟାପୀ ବଢ଼ିଚାଲିଥିବା ମହିଳା ବିରୋଧୀ ହିଂସାର ବିକଳ ଚିତ୍ର ଆଙ୍କିଛି। ରିପୋର୍ଟ ଅନୁଯାୟୀ, ସମଗ୍ର ବିଶ୍ୱରେ ପ୍ରତି ୩ ଜଣରେ ଜଣେ ମହିଳା ସେମାନଙ୍କ ଜୀବନ କାଳ ମଧ୍ୟରେ ଶାରୀରିକ କିମ୍ବା ଯୌନ ନିର୍ଯାତନାର ଶିକାର ହେଉଛନ୍ତି। ବିଶେଷକରି ୧୫ରୁ ୨୪ ବର୍ଷ ବୟସ ବର୍ଗର କିଶୋରୀ ତଥା ଯୁବତୀଙ୍କ କ୍ଷେତ୍ରରେ ଏହି ସମସ୍ୟା ଉତ୍କଟ। ଡବ୍ଲ୍ୟୁଏଚ୍‌ଓର ୨୦୧୩ ରିପୋର୍ଟକୁ ଦେଖିଲେ ସଦ୍ୟ ପ୍ରକାଶିତ ତଥ୍ୟରେ ଏହି ମହିଳା ହିଂସା ହାର ପରିବର୍ତ୍ତନ ହୋଇ ନ ଥିବା ଜଣାଯାଇଛି। ଏହା ବେଶ୍‌ ଚିନ୍ତାଜନକ ଓ ଉଦ୍‌ବେଗର ବିଷୟ। ଏ ଦିଗରେ ପ୍ରତ୍ୟେକ ଦେଶର ସରକାର ଗମ୍ଭୀର ଭାବେ ଚିନ୍ତା କରିବା ଜରୁରୀ ବୋଲି ଡବ୍ଲ୍ୟୁଏଚ୍‌ଓ ପରାମର୍ଶ ଦେଇଛି।
କୋଭିଡ୍‌ ମହାମାରୀ ତୁଳନାରେ ମହିଳା ନିର୍ଯାତନା ବଡ଼ଧରଣର ବିଶ୍ୱ ଜନସ୍ବାସ୍ଥ୍ୟ ସମସ୍ୟା ବୋଲି ଅଧ୍ୟୟନର ନେତୃତ୍ୱର ନେଇଥିବା ଡ. କ୍ଲାଉଡିଆ ଗାର୍ସିଆ ମୋରେନୋ କହିଛନ୍ତି। କରୋନା ଯୋଗୁ ଅନେକ ଦେଶରେ ଜାରି ଲକ୍‌ଡାଉନ୍‌ ଏବଂ ଏହା ପରବର୍ତ୍ତୀ ସ୍ଥିତି ମହିଳାଙ୍କ ସମସ୍ୟାକୁ ବହୁଗୁଣିତ କରିଛି। ଲୋକେ ଘରେ ରହିବା ଯୋଗୁ ନିର୍ଯାତନା ହାର ଯଥେଷ୍ଟ ବୃଦ୍ଧି ପାଇଛି। ମହିଳାମାନେ ସବୁ ପ୍ରକାରର ଘରୋଇ ହିଂସାର ଶିକାର ହୋଇଛନ୍ତି। ସେମାନଙ୍କ ପାଇଁ ଏହା କୌଣସି ମହାମାରୀ ଭଳି ଯନ୍ତ୍ରଣାଠାରୁ କମ୍‌ ନୁହେଁ। ଏହି ତଥ୍ୟକୁ ଅଧ୍ୟୟନରେ ସାମିଲ କରାଗଲେ ହିଂସା ହାର ଆହୁରି ଅଧିକ ରହିବ। କରୋନା ପାଇଁ ସିନା ଟିକା ବାହାରିଛି, କିନ୍ତୁ ମହିଳା ବିରୋଧୀ ବୈଶ୍ୱିକ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଏ ଯାଏ ଭାକ୍ସିନ ଆସି ନାହିଁ ବୋଲି ମାରୋନା କହିଛନ୍ତି। କୋଟି କୋଟି ମହିଳା ଏଥିଯୋଗୁ ସେମାନଙ୍କ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଏ ଦିଗରେ ଗଭୀର ଭାବେ ଚିନ୍ତା କରିବାର ସମୟ ଆସିଛି ବୋଲି ସେ ପ୍ରକାଶ କରିଛନ୍ତି।

Share