ଜଣଙ୍କ ନାଁରେ ଭତ୍ତା, ଟଙ୍କା ପାଉଛନ୍ତି ଆଉ ଜଣେ

ତିହିଡ଼ି,୨୨ା୮(ସଞ୍ଜିତ ବଳ): ଜଣଙ୍କ ନାଁରେ ଭତ୍ତା, ଟଙ୍କା ପାଉଛନ୍ତି ଆଉ ଜଣେ। ଭଦ୍ରକ ଜିଲା ତିହିଡ଼ି ବ୍ଲକ ତାଳପଦା ଗ୍ରାମରୁ ଏଭଳି ଅଭିଯୋଗ ଆସିଛି। ଗ୍ରାମର ତରଣୀସେନ ଦାସ ନାମକ ଜଣେ ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଆଉ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଛି। ସେ ଏନେଇ ସୋମବାର ବିଡିଓଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଭତ୍ତା ଟଙ୍କା ତାଙ୍କ ଆକାଉଣ୍ଟରେ ଜମା କରିବାକୁ ପଦକ୍ଷେପ ନେବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ବିଡିଓଙ୍କୁ ଦାବି ଜଣାଇଛନ୍ତି।
ତରଣୀସେନ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ମଧୁବାବୁ ପେନ୍‌ସନ ଯୋଜନାରେ ୬ମାସ ହେଲା ଭତ୍ତା ଟଙ୍କା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ସେ ବିଭିନ୍ନ ସମୟରେ ବ୍ୟାଙ୍କଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ନିରାଶ ହେବା ପରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଭେଟିଥିଲେ। ତାଙ୍କ ଭତ୍ତା ଟଙ୍କା ଜଣେ ମହିଳାଙ୍କ ଆକାଉଣ୍ଟକୁ ପଠାଯାଉଥିବା ସେହି ଅଧିକାରୀଙ୍କଠାରୁ ଜାଣିବାକୁ ପାଇଥିଲେ। ଏହାର ତଦନ୍ତ କରି ପଦକ୍ଷେପ ନେବେ ବୋଲି ବିଡିଓ ଜ୍ୟୋତିର୍ମୟ କର ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ତରଣୀସେନଙ୍କ ସହ ବ୍ଲକ ଦିବ୍ୟାଙ୍ଗ ସଂଘର ସଭାପତି ରଞ୍ଜନ ପାଢ଼ୀ, ଯୁବ ସଭାପତି ଅଜୟ ପ୍ରଧାନ, ପଞ୍ଚାୟତ ସଂଯୋଜିକା ରୀନାରାଣୀ ଦାସ, ତ୍ରିଲୋଚନ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ।
Share