ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷଙ୍କ ନାବାଳକ ପୁଅର ଛୁରା ମାଡରେ ଜଣେ ଗୁରୁତର

ଝାରସୁଗୁଡ଼ା ଅଫିସ,୪।୮: ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷଙ୍କ ନାବାଳକ ପୁଅ ଓ ତାଙ୍କ ସହଯୋଗୀଙ୍କ ଛୁରା ମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ହେଲେ ଚୂନାଭଟାର ପିଙ୍କୁ ଗନ୍ଦା(୨୧)। ଏ ନେଇ ପିଙ୍କୁଙ୍କ ବାପା ଶରତ ଗନ୍ଦା ବ୍ରଜରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ପୋଲିସ ବ୍ରଜରାଜନଗର ଥାନା କେଶ ନଂ.୨୦୯/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହି ଘଟଣାରେ ପୋଲିସ ଚୂନାଭଟାର ରାହୁଲ ବାରିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ରାହୁଲଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବା ସହ ସୋନୁ ଘୋଷଙ୍କ ୧୬ ବର୍ଷୀଅ ନାବାଳକ ପୁଅଙ୍କୁ ଜୁଭେନାଇଲ କୋର୍ଟକୁ ପଠାଇବ। ସେମାନଙ୍କ ନିକଟରୁ ପୋଲିସ ଏକ ସ୍କୁଟି, ଛୁରି ଆଦି ଜବତ କରିଛି । ପିଙ୍କୁଙ୍କ ପରିବାର ଓ ଅଭିଯୁକ୍ତ ରାହୁଲଙ୍କ ପରିବାର ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା । ଏ ନେଇ ଗତ ମଙ୍ଗଳବାର ରାତିରେ ରାହୁଲ ତାଙ୍କ ସହଯୋଗୀ ନାବାଳକ ଯୁବକଙ୍କୁ ଡାକି ଏକ ଛୁରିରେ ପିଙ୍କୁକୁ ଆକ୍ରମଣ କରିଥିଲେ ।