Categories: ଜାତୀୟ

ମଣିପୁରରେ ସାନି ହିଂସା: ଗୁଳିମାଡରେ ଜଣେ ମୃତ

ମଣିପୁରରେ ସାନି ହିଂସା: ଗୁଳିମାଡରେ ଜଣେ ମୃତ
ଇମ୍ଫାଲ,୨୯।୮: ମଣିପୁରରେ ଜାତିଆଣ ହିଂସା ଥମିବା ବଦଳରେ ଆହୁରି ହୁତୁହୁତୁ ହୋଇ ଜଳିବାରେ ଲାଗିଛି। ମଙ୍ଗଳବାର ବିଷ୍ଣୁପୁର ଜିଲାର ନାରାୟଣସେନା ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୋଲିସର ସୂଚନାନୁସାରେ, ଉଭୟ ପକ୍ଷ ମଧ୍ୟରେ ଲଗାତାର ଗୁଳି ବିନିମୟରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ,ରିଲିଫ କ୍ୟାମ୍ପରେ ରହୁଥିବା ଜଣେ ଗ୍ରାମ ପ୍ରତିରକ୍ଷା ସ୍ବେଚ୍ଛାସେବୀଙ୍କ ବିସ୍ଫୋରଣରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କ କାନ୍ଧରେ ଗୁଳି ବାଜିଥିଲା। ଆହତମାନଙ୍କୁ ଇମ୍ଫାଲର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି ଏବଂ ସ୍ବାସ୍ଥାବସ୍ଥା ସ୍ଥିର ଥିବା କୁହାଯାଉଛି।

ପୋଲିସ ଦ୍ୱାରା କରାଯାଇଥିବା ସର୍ଚ୍ଚ ଅପରେସନରେ ବିଭିନ୍ନ ସଂଗଠନର ଚାରିଜଣଙ୍କୁ ମଙ୍ଗଳବାର ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ସର୍ଚ୍ଚ ଅପରେସନ ବେଳେ ପୋଲିସ ଇମ୍ଫାଲ ଏବଂ ବିଷ୍ଣୁପୁର ଜିଲ୍ଲାରୁ ଏନଏସସିଏନ ଓ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ରୁ ଜଣେ କାଙ୍ଗଲେପକ କମ୍ୟୁନିଷ୍ଟ ପାର୍ଟି (କେସିପି) ଜଣେ (ଲାମାୟମ୍ବା ଖୁମାନ ଦଳ)ର ଦୁଇଜଣ ଅଣ୍ଡରଗ୍ରାଉଣ୍ଡ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସର୍ଚ୍ଚ ଅପରେସନ ବେଳେ ପୋଲିସ ୬ଟି ଅସ୍ତ୍ରଶସ୍ତ୍ର, ପାଞ୍ଚଟି କାର୍ଟ୍ରିଜ ଏବଂ ଦୁଇଟି ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଉପତ୍ୟକାର ପାଞ୍ଚଟି ଜିଲାର ସୀମା ତଥା ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ କରାଯାଇଥିଲା।

Share