ଜଣେ ମାଓବାଦୀ ଗିରଫ, ୬ ଜଣଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୪ା୯(ଦୁର୍ଯ୍ୟୋଧନ ପାତ୍ର)ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲା କୋଣ୍ଟା ଅଞ୍ଚଳରେ ପୋଲିସ ଓ ସିଆର୍‌ପିଏଫ୍‌ର ୨୧୯ ବାଟାଲିୟନର ଯବାନ କୋମ୍ବିଂ ଅପରେଶନ କରୁଥିବାବେଳେ ମାଡକମ ବୁଦରା ନାମକ ଜଣେ ମାଓବାଦୀଙ୍କୁ ଗିରଫ କରାଯାଇଥିଲା। ତାଙ୍କ ନିକଟରୁ ୧୦ଟି ଜିଲୋଟିନ ଷ୍ଟିକ୍‌, ୧୩ ଡିଟୋନେଟର ଓ ପ୍ରାୟ ୫ ମିଟର କୋଟେକ୍ସ ତାର ଜବତ କରାଯାଇଛି। ସେ ମାଓବାଦୀ କମାଣ୍ଡର ବେଟି ଭୀମାଙ୍କ ନିର୍ଦ୍ଦେଶରେ ଗୋମପାଡ଼ ନିବାସୀ ତଥା ମାଓବାଦୀ ସହଯୋଗୀ କଡତି ରାମାଙ୍କୁ ବିସ୍ଫୋରକ ପଦାର୍ଥ ଦେବା ପାଇଁ ଯାଉଥିଲେ ବୋଲି ଜେରା ବେଳେ କହିଛନ୍ତି। ସେହିପରି ସୁକ୍‌ମା ଜିଲା ମାଓବାଦୀ ଅପରେଶନ କାର୍ଯ୍ୟାଳୟରେ ୫ ଜଣ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ମାଓବାଦୀ କମାଣ୍ଡର ଜଗା, ମିଲିସିଆ ସଦସ୍ୟ ସୋନୁ, ଦେବା, ଗଙ୍ଗା ଓ ଏରା। ଏମାନେ ଚିନ୍ତାଗୁଫା ଥାନା ଅଞ୍ଚଳରେ ସକ୍ରିୟ ଥିଲେ। ଆତ୍ମସମର୍ପଣ ସମୟରେ ସିଆର୍‌ପିଏଫ୍‌ ୭୪ ବାଟାଲିୟନ୍‌ ଡିଆଇଜି ନିଶାନ୍ତ ବୈଷ୍ଣବ, ଡିଏସ୍‌ପି ଉତ୍ତମ ପ୍ରସାଦ ସିଂ ଉପସ୍ଥିତ ଥିଲେ ା ଏହି ୫ ଜଣଙ୍କୁ ପ୍ରୋତ୍ସାହନ ରାଶି ସହ ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପୋଲିସ ସୂଚନା ଦେଇଛି। ସେହିପରି ସୁକ୍‌ମା ଜିଲା ଏସ୍‌ପିଙ୍କ କାର୍ଯ୍ୟାଳୟରେ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମିଲିସିଆ କମାଣ୍ଡର କୁଞ୍ଜାମ ମୁକ୍କା ଆତ୍ମସମର୍ପଣ କରିଛନ୍ତି। କୁଞ୍ଜାମ ମାଓବାଦୀ ସଂଗଠନର ଜଣେ ସକ୍ରିୟ ସଦସ୍ୟ ଥିଲେ। ଏହି ମାଓବାଦୀ ଭୋଜୀ ଥାନା କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ଗତିବିଧିରେ ସାମିଲ ଥିଲେ।