ସହାୟତା ବାହାନାରେ ୧୦ ଲକ୍ଷ ଲୁଟିଲେ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ବିଦେଶୀଙ୍କ ନାଁରେ ସହାୟତା ବାହାନାରେ ଲୁଟୁଛନ୍ତି ସାଇବର ଅପରାଧୀ। ପୂର୍ବରୁ ଓଡ଼ିଶାର ୨ଜଣ ବ୍ୟକ୍ତି ଏମିତି ଠକେଇର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇଥିବାବେଳେ ଏବେ ଆଉଜଣଙ୍କଠାରୁ ସାଇବର ଅପରାଧୀମାନେ ୧୦ଲକ୍ଷ ୩୬ହଜାର ଟଙ୍କା ଲୁଟି ନେଇଛନ୍ତି। ଠକେଇର ଶିକାର ହୋଇଛନ୍ତି ଢେଙ୍କାନାଳର ସିଦ୍ଧାର୍ଥ ଶଙ୍କର ପାଣି(୪୫)। ତାଙ୍କ ଅଭିଯୋଗକ୍ରମେ କ୍ରାଇମ୍‌ବ୍ରାଞ୍ଚର ସାଇବର ଥାନାରେ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଛି।
ଅଭିଯୋଗ ଅନୁଯାୟୀ, ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କୁମୁସି ଅଞ୍ଚଳରେ ପରିବାର ସହ ରହୁଥିବା ସିଦ୍ଧାର୍ଥ ଫେସ୍‌ବୁକ୍‌ରେ ମରିନ ଆଲେକ୍ସ ନାମକ ମହିଳାଙ୍କ ସହ ପରିଚୟ ହୋଇଥିଲେ। ମହିଳା ଜଣକ ତାଙ୍କ ଘର ଲଣ୍ଡନ ହୋଇଥିବା କହିଥିଲେ। ଉଭୟେ ବହୁ ସମୟ ଚାଟିଂ କରିବା ପରେ ସେମାନଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ଲକ୍‌ଡାଉନ୍‌ ସମୟରେ ଭାରତର ଅନେକ ଗରିବ ଲୋକ ଜୀବିକା ଓ ରୋଜଗାର ହରାଇ ହଇରାଣ ହେଉଥିବାରୁ ସେମାନଙ୍କୁ ଆର୍ଥିକ ସହାୟତା ଦେବାକୁ ଚାହୁଁଥିବା ଓ ପ୍ରଥମେ ଓଡ଼ିଶାର ଢେଙ୍କାନାଳରୁ ଏହି ସହାୟତାକୁ ଆରମ୍ଭ କରିବାକୁ ଚାହୁଁଥିବା ମରିନ କହିଥିଲେ। ସିଦ୍ଧାର୍ଥ ଏପରି କାର୍ଯ୍ୟକୁ ପ୍ରଶଂସା କରିବା ସହ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଲୋଚନା ଅନୁସାରେ ଗତ ମାସ ୨୯ ତାରିଖ ସକାଳ ୧୦ଟା ୩୯ରେ ମରିନ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚତ୍ ଯାଇଥିବା ସିଦ୍ଧାର୍ଥଙ୍କୁ ଜଣାଇଥିଲେ। ଏପରି କି ସେ ସାଙ୍ଗରେ ଆଣିଥିବା ଅଢେଇ ଲକ୍ଷ ପାଉଣ୍ଡ୍‌ର ଡ୍ରାଫ୍‌କୁ ଭାରତୀୟ ମୁଦ୍ରାରେ ପରିଣତ କରିବାରେ ସମସ୍ୟା ହୋଇଛି। ବିମାନ ବନ୍ଦରରେ କଷ୍ଟମ ବିଭାଗର ଅଧିକାରୀମାନେ ଇନ୍‌କମ ଟ୍ୟାକ୍ସ, କରେନ୍ସି ଏକ୍ସଚେଞ୍ଜ୍‌ ଚାର୍ଜ ସହ ବିଭିନ୍ନ ବାବଦକୁ ଭାରତୀୟ ମୁଦ୍ରା ଆବଶ୍ୟକ ହେଉଥିବାରୁ ଏକ୍ଷେତ୍ରରେ ସହଯୋଗ ଚାହିଁଥିଲେ। ପହଞ୍ଚତ୍ବା ପରେ ସବୁ ଟଙ୍କା ଫେରସ୍ତ ଦେବାକୁ କହିଥିଲେ। ସିଦ୍ଧାର୍ଥଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ମହିଳା ଜଣକ ଅନ୍ୟଜଣେ ମହିଳାଙ୍କୁ କଷ୍ଟମ ବିଭାଗର ଅଧିକାରୀ ବୋଲି ପରିଚୟ ଦେଇ କଥା କରାଇଥିଲେ। ମହିଳାଙ୍କ ଫୋନ୍‌ ନମ୍ବର ଟ୍ରୁ କଲ୍‌ରେ ଦିଲ୍ଲୀ ଏୟାରପୋର୍ଟ ଅଥରିଟି ବୋଲି ଲେଖା ଆସିବା ପରେ ସିଦ୍ଧାର୍ଥଙ୍କର ବିଶ୍ୱାସ ଆହୁରି ବଢ଼ିଯାଇଥିଲା। ତେଣୁ ସେ ତୁରନ୍ତ ବିଭିନ୍ନ ପର୍ଯ୍ୟାୟରେ ୧୦ ଲକ୍ଷ ୩୬ ହଜାର ଟଙ୍କା ଦେଇଥିଲେ। ହେଲେ ଏହାପରେ ବି ମରିନ ଅନ୍ୟ କିଛି ବାହାନା ଦେଖାଇ ଆଉ କିଛି ଟଙ୍କା ମାଗିବାରୁ ସିଦ୍ଧାର୍ଥଙ୍କର ସନ୍ଦେହ ହୋଇଥିଲା। ସେ ଉକ୍ତ ମହିଳାଙ୍କୁ ବିଭିନ୍ନ କଥା ପଚାରିବାରୁ ସେ ଫୋନ୍‌ କାଟି ଦେଇ ଆଉ ଉଠାଇ ନ ଥିଲେ। ଶେଷରେ ଠକେଇର ଶିକାର ହୋଇଥିବା ଜାଣି ସିଦ୍ଧାର୍ଥ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ।
ସୂଚନାଯୋଗ୍ୟ, ପୂର୍ବରୁ କଟକ ପୁରୀଘାଟ ଅଞ୍ଚଳରେ ରହୁଥିବା ମାନସ ରଞ୍ଜନ ମିଶ୍ରା ଏହିଭଳି ଠକେଇର ଶିକାର ହୋଇ ୪୫ ଲକ୍ଷ ହରାଇଥିଲେ। ତାଙ୍କୁ ଏଲିଜାବେଥ ନଁାରେ ମେଲ୍‌ କରିଥିବା ଜଣେ ମହିଳା ଲଣ୍ଡନ ବାସିନ୍ଦା ବୋଲି ପରିଚୟ ଦେଇ ଓଡ଼ିଶାରେ ଏକ କମ୍ପାନୀ ଖୋଲିବା ନାଁରେ ସମାନ ଢଙ୍ଗରେ ଠକେଇ କରିଥିଲେ। ସେହିପରି ପୁରୀର ଜଣେ ଆଇନଜୀବୀଙ୍କ ସ୍ତ୍ରୀଙ୍କଠାରୁ ସାଇବର ଠକମାନେ ୨୦ ଲକ୍ଷ ଲୁଟି ନେଇଥିଲେ।

Share