Categories: ଜାତୀୟ

‘ଓ୍ବାନ ନେଶନ, ଓ୍ବାନ ଇଲେକ୍ସନକୁ ନେଇ’ ଆକ୍ସନରେ କମିଟି, ରାମନାଥ କୋବିନ୍ଦଙ୍କୁ ଭେଟିଲେ ଆଇନ ମନ୍ତ୍ରଣାଳୟର ଅଧିକାରୀ

ନୂଆଦିଲ୍ଲୀ,୩।୯: ଓ୍ବାନ ନେଶନ, ଓ୍ବାନ ଇଲେକ୍ସନ ଉପରେ ସାରା ଦେଶରେ ଏକ ନୂଆ ଆଲୋଚନା ଆରମ୍ଭ ହୋଇଛି। ଏହି ସମୟରେ ଆଇନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ରବିବାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। କୋବିନ୍ଦ ଲୋକ ସଭା, ରାଜ୍ୟ ସଭା ତଥା ସ୍ଥାନୀୟ ସଂସ୍ଥାରେ ଏକକାଳୀନ ନିର୍ବାଚନ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଗଠିତ ଏକ ଉଚ୍ଚ ସ୍ତରୀୟ କମିଟିର ସଭାପତି ଅଛନ୍ତି।
ନ୍ୟୁଜ ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ ଆଇନ ସଚିବ ନିତେନ ଚନ୍ଦ୍ରା, ସଚିବ ରୀତା ବଶିଷ୍ଠ ଏବଂ ଅନ୍ୟ ଅଧିକାରୀମାନେ କୋବିନ୍ଦଙ୍କୁ କମିଟି ଆଗରେ ଏଜେଣ୍ଡା ଉପରେ କିପରି କାର୍ଯ୍ୟ କରିବେ ସେ ସମ୍ପର୍କରେ ସୂଚନା ଦେଇଛନ୍ତି। ନିତେନ ଚନ୍ଦ୍ରା ମଧ୍ୟ ଉଚ୍ଚ ସ୍ତରୀୟ କମିଟିର ସଚିବ ଏବଂ ରୀତା ବଶିଷ୍ଠଙ୍କ ବିଭାଗ ନିର୍ବାଚନ ପ୍ରସଙ୍ଗ, ଲୋକ ପ୍ରତିନିଧୀ ଆଇନ ଏବଂ ଆନୁଷଙ୍ଗିକ ନିୟମ ସହିତ କାର୍ଯ୍ୟ କରୁଛି।
ଲୋକ ସଭା, ରାଜ୍ୟ ସଭା, ପୌରସଂସ୍ଥା ଏବଂ ପଞ୍ଚାୟତକୁ ଏକକାଳୀନ ନିର୍ବାଚନ କରିବା ପ୍ରସଙ୍ଗରେ କେନ୍ଦ୍ର ସରକାର ଶନିବାର ଏକ ୮ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିର ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନେତୃତ୍ୱରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଲୋକ ସଭାରେ କଂଗ୍ରେସର ନେତା ଅଧିର ରଂଜନ ଚୌଧୁରୀ, ରାଜ୍ୟ ସଭାରେ ବିରୋଧୀ ଦଳର ପୂର୍ବତନ ନେତା ଗୁଲାମ ନବୀ ଆଜାଦ ଏବଂ ପୂର୍ବତନ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ.କେ ସିଂ ସଦସ୍ୟ ରହିବେ।

Share