Categories: ଜାତୀୟ

ସିକିମ୍‌ର ତିସ୍ତାନଦୀରେ ବନ୍ୟା ଆସିବା ପୂର୍ବରୁ ସିଗନାଲ ଦେବା ବନ୍ଦ କରିଥିଲା ପାଣିପାଗ ଷ୍ଟେଶନ: ଏନଡିଏମଏ

ଗ୍ୟାଙ୍ଗଟକ,୧୩।୧୦: ସିକିମ୍‌ରେ ବାଦଲ ଫଟା ବର୍ଷା ଯୋଗୁ ତିସ୍ତାନଦୀରେ ହୋଇଥିବା ଭୟଙ୍କର ବନ୍ୟାରେ ପ୍ରାୟ ୧୦୦ ଲୋକଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ଅନେକ ଲୋକ ନିଖୋଜ ଅଛନ୍ତି। ତେବେ ଏହି ଭୟଙ୍କର ବନ୍ୟାକୁ ନେଇ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଏକ ବଡ ସୂଚନା ଦେଇଛି। ହିମନଦୀ କୂଳରେ ସ୍ଥାପିତ ସୌର ଚାଳିତ ଟ୍ବିନ କ୍ୟାମେରା ଓ ପାଣିପାଗ ଷ୍ଟେଶନ ମଧ୍ୟରୁ ଗୋଟିଏ, ସେପ୍ଟେମ୍ବରରେ ସ୍ଥାପିତ ହେବାର ତିନି ଦିନ ପରେ ସିଗନାଲ ଦେବା ବନ୍ଦ କରିଦେଇଥିଲା ବୋଲି ବିଭାଗ କହିଛି।
ସେପ୍ଟେମ୍ବର ୧୬ରେ ଏନଡିଏମଏ ନେତୃତ୍ୱାଧୀନ ଦୁଇଟି କମ୍ପାନୀର ଟିମ୍‌ ଦ୍ୱାରା ଏହା ସ୍ଥାପିତ ହୋଇଥିଲା। ଏହାର କିଛି ଦିନ ପରେ ଅର୍ଥାତ୍‌ ଅକ୍ଟୋବର ୩ରେ ପ୍ରବଳ ବର୍ଷାରେ ତିସ୍ତାନଦୀରେ
ବନ୍ୟା ଆସି ଉତ୍ତର ସିକିମ୍‌ରେ ହଠାତ୍‌ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଏକ ବିବୃତ୍ତିରେ କହିଛ, ସିକିମ୍‌ର ୧୫ହଜାର-୧୬ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଦକ୍ଷିଣ ଲୋନାକ ହ୍ରଦ, ଶାକୋ ଚୋ ହ୍ରଦ ଦୁଇଟି ଯାକ ବିପଦପୂର୍ଣ୍ଣ ଗ୍ଲାସିଆଲ ହ୍ରଦ। ଏଥିପାଇଁ ସେଠାରେ ଟ୍ବିନ କ୍ୟାମେରା, ସ୍ବୟଂଚାଳିତ ପାଣିପାଗ କେନ୍ଦ୍ର ସ୍ଥାପନ କରାଯାଇଥିଲା। ଦୂର ସ୍ଥାନ, ଜଳବାୟୁ, ଭୂମି ଏବଂ ଟପୋଗ୍ରାଫି ଏବଂ ମାନବ ବିହୀନ ସିଷ୍ଟମ ସ୍ଥାପନକୁ ଦୃଷ୍ଟିରେ ରଖି ଷ୍ଟେସନଗୁଡିକର ସୁରକ୍ଷା ଏବଂ କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ଯଥେଷ୍ଟ ପ୍ରସ୍ତୁତି ଆବଶ୍ୟକ ଥିଲା।

ଏନଡିଏମଏ ଅନୁଯାୟୀ, ପ୍ରତିଦିନ ଏହି ଯନ୍ତ୍ରରୁ ୨୫୦ରୁ ଅଧିକ ପାଣିପାଗ ସୂଚନା ମିଳୁଥିଲା। କିନ୍ତୁ ସେପ୍ଟେମ୍ବର ୧୯ପରେ, ଦକ୍ଷିଣ ଲୋନାକ ହ୍ରଦରେ ସ୍ଥାପିତ ଏହି ଯନ୍ତ୍ର ସୂଚନା ପଠାଇବା ବନ୍ଦ କରିଦେଇଥିଲା।

Share