Categories: ବାଣିଜ୍ୟ

୧.୭୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ଗୋଡ୍ରେଜ୍‌ ଗ୍ରୁପ୍‌ର ହୋଇପାରେ ବିଭାଜନ

ନୂଆଦିଲ୍ଲୀ,୩।୧୦: ୧.୭୬ ଲକ୍ଷ କୋଟି ମୂଲ୍ୟର ଗୋଡ୍ରେଜ୍‌ ଗ୍ରୁପ ୧୮୯୭ରେ ପ୍ରତିଷ୍ଠା ହୋଇଥିଲା୍‌। ଏବେ ଏହି ୧୨୬ ବର୍ଷର କମ୍ପାନୀର ବିଭାଜନକୁ ନେଇ ଖବର ଆସୁଛି। ପ୍ରଥମେ ଏହି କମ୍ପାନୀ ତାଲା ବିକ୍ରିରୁ ବ୍ୟବସାୟ ଆରମ୍ଭ କରିଥିଲା। ଏହି ଗ୍ରୁପ ଭାରତର ପ୍ରଥମ ଲିଭର୍‌ ଟେକ୍ନୋଲୋଜି ବିଶିଷ୍ଟ ତାଲା ନିର୍ମାଣ କରିଥିଲା। ସେତେବେଳେ ବମ୍ବେରେ ଅପରାଧ ବଢ଼ୁଥିବା ବେଳେ ଲୋକମାନଙ୍କ ଆବଶ୍ୟତକାକୁ ପ୍ରାଧ୍ୟାନ୍ୟ ଦେଇ କମ୍ପାନୀ ସ୍ବତନ୍ତ୍ର ତାଲା ପ୍ରସ୍ତୁତ କରିଥିଲା। ଦୁଇ ଭାଇ ଅର୍ଦେଶିର ଗୋଡ୍ରେଜ୍‌ ଏବଂ ପିରୋଜଶା ଗୋଡ୍ରେଜ୍‌ ପ୍ରଥମେ ଏହାକୁ ଆରମ୍ଭ କରିଥିଲେ। ସମୟ ସହ ଗ୍ରୁପ୍‌ ଅନେକ କ୍ଷେତ୍ରରେ ସଫଳତା ହାସଲ କରିଛି। ଏବେ ଏହି ଗ୍ରୁପ୍‌ ବିଭାଜନ ହୋଇପାରେ।

ଗୋଡ୍ରେଜ୍‌ ଗ୍ରୁପ୍‌ରେ ବର୍ତ୍ତମାନ ୫ ତାଲିକାଭୁକ୍ତ କମ୍ପାନୀ ରହିଛି। ଏଥି ମଧ୍ୟରେ ଗୋଡ୍ରେଜ୍‌ ଇଣ୍ଡଷ୍ଟ୍ରିଜ୍‌, ଗୋଡ୍ରେଜ୍‌ ଗ୍ରାହକ ଉତ୍ପାଦ, ଗୋଡ୍ରେଜ୍‌ ଆଗ୍ରୋଭେଟ୍‌, ଗୋଡ୍ରେଜ୍‌ ପ୍ରପର୍ଟିଜ୍‌ ଏବଂ ଲାଇଫ ସାଇନ୍ସ ଆଦି ଅନ୍ତର୍ଭୁକ୍ତ ଅଛି। ଏହି ସମସ୍ତ କାରୋବାର ବଣ୍ଟା ଯାଇପାରେ ବୋଲି କୁହାଯାଇଥିଲେ ହେଁ ଆଧିକାରିକ ଭାବେ ଘୋଷଣା ହୋଇନାହିଁ।

ଗୋଡ୍ରେଜ୍‌ ପରିବାରରେ ଏବେ ଦୁଇ ଗୋଷ୍ଠୀ ଅଛନ୍ତି। ଗୋଡ୍ରେଜ୍‌ ଗ୍ରୁପ୍‌ ମୁଖ୍ୟ ଆଦି ଗୋଡ୍ରେଜ୍‌ ଏବଂ ନାଦିର ଗୋଡ୍ରେଜ୍‌ ଇଣ୍ଡଷ୍ଟ୍ରିଜ୍‌ ଏବଂ ଆସୋସିଏଟ୍ସର ମୁଖ୍ୟ ଅଛନ୍ତି। ସେହିଭଳି ଅନ୍ୟ କମ୍ପାନୀ ସମ୍ପର୍କୀୟ ଜାମଦେଶ ଗୋଡ୍ରେଜ୍‌ ଏବଂ ସ୍ମିତା କୃଷ୍ଣା ଗୋଡ୍ରେଜ୍‌ଙ୍କ ପାଖରେ ରହିଛି। ଏବେ ଏହି ଇଞ୍ଜିନିୟରିଂ, ସୁରକ୍ଷା, ଏଗ୍ରି, ରିଏଲ ଇଷ୍ଟେଟ୍‌ ଏବଂ ଉପଭୋକ୍ତା ଉତ୍ପାଦଗୁଡ଼ିକୁ ବଣ୍ଟାଯାଇପାରେ। ଉଭୟ ପକ୍ଷଙ୍କ ମଧ୍ୟରେ ୩୪୦୦ ଏକରର ଜମି ବଣ୍ଟା ମଧ୍ୟ ଯିବ ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି।

Share