ବିକାଶ ଦୁବେଙ୍କ ଗିରଫ ହୋଇଥିବା ୩ ସହଯୋଗୀଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ୍‌

କାନପୁର,୮।୭: କାନପୁରରେ ୮ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କ ୩ସହଯୋଗୀଙ୍କ ମଧ୍ୟରୁ ଜଣଙ୍କୁ କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ବୁଧବାର ଫରିଦାବାଦରୁ ଅଙ୍କୁର, ତାଙ୍କ ପିତା ଶ୍ରବଣ ଓ ପ୍ରଭାତଙ୍କୁ କାନପୁର ପୋଲିସ ଗିରଫ କରିଥିଲା। ଏହାପରେ ସେମାନଙ୍କର କରୋନା ଯାଞ୍ଚ କରାଯାଇଥିଲା। ତେବେ ଆସିଥିବା ରିପୋର୍ଟରେ ଶ୍ରବଣଙ୍କ କରୋନା ପଜିଟିଭ୍‌ ବାହାରିଥିବା ବେଳେ ଅଙ୍କୁର ଓ ପ୍ରଭାତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ସୂଚନାଯୋଗ୍ୟ, ବୁଧବାର ଫରିଦାବାଦରୁ ବିକାଶ ଦୁବେ ଗ୍ୟାଙ୍ଗର ୩ଜଣ ଲୋକଙ୍କୁ ଗିରଫ କରାଯାଇଥିଲା। ଏହାପରେ ସେମାନଙ୍କୁ ଫରିଦାବାଦ କୋର୍ଟରେ ହାଜର କରାଯାଇଥିଲା। ଏହି ମାମଲାର ଶୁଣାଣି କରି କୋର୍ଟ ପ୍ରଭାତଙ୍କୁ ୨୪ଘଣ୍ଟା ପାଇଁ କାନପୁର ପୋଲିସକୁ ଟ୍ରାଞ୍ଜିଟ ରିମାଣ୍ଡରେ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅଙ୍କୁର ଓ ଶ୍ରବଣଙ୍କୁ କୋର୍ଟ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଅଙ୍କୁର ଓ ଶ୍ରବଣଙ୍କୁ ଫରିଦାବାଦ ଜେଲ୍‌ରେ ରଖାଯିବ। ସେହିପରି ଶ୍ରବଣଙ୍କୁ ଜେଲ୍‌ରେ ହିଁ କ୍ୱାରାଣ୍ଟାଇନ୍‌ ସୁବିଧା ଦିଆଯିବ। ଅପରପକ୍ଷେ ଉକ୍ତ ୩ଜଣଙ୍କୁ ଗିରଫ କରିଥିବା ସମସ୍ତ ପୋଲିସଙ୍କ କରୋନା ଯାଞ୍ଜ କରାଯିବ ବୋଲି କୁହାଯାଇଛି।

Share