Categories: ଜାତୀୟ

ଗୋଟିଏ ଦଳ ଏକଚ୍ଛତ୍ରବାଦ ଶାସନ ଚଳାଇଛି: ଅଧୀର

ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନ ତଥା ପୁରୁଣା ସଂସଦ ଭବନରେ ଶେଷ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ହୁଇଲ୍‌ ଚେୟାରରେ ରାଜ୍ୟ ସଭାରେ ଯୋଗ ଦେଇଥିଲେ। ୯୦ ବର୍ଷୀୟ ନେତା ଚୁପ୍‌ଚାପ୍‌ ୧ ଘଣ୍ଟା ବସିରହି ସଂସଦୀୟ ଗଣତନ୍ତ୍ରର ୭୫ ବର୍ଷର ଯାତ୍ରା ଉପରେ ଗୃହର ନେତା ପୀୟୂଷ ଗୋୟଲ ଏବଂ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ୍‌ ଖାର୍ଗେଙ୍କ ଭାଷଣ ଶୁଣିଥିଲେ। ସେହିପରି ଅଧିବେଶନ ଆରମ୍ଭରେ କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ପକ୍ଷରୁ ଏହାର ଏମ୍‌ପିମାନେ ମହିଳା ସଂରକ୍ଷଣ ଦାବିରେ ଗୃହରେ ପୋଷ୍ଟର ପ୍ରଦର୍ଶନ କରାଯାଇଥିଲା। ବିଆର୍‌ଏସ୍‌ ନେତା କେ. କେଶବ ରାଓ ପୋଷ୍ଟର ଧରି ଆଲୋଚନାରେ ଭାଗ ନେଇଥିଲେ। ପୋଷ୍ଟର ଦେଖାଇ ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କର କହିଥିଲେ। ସରକାର ବହୁସଂଖ୍ୟକବାଦ ଆପଣାଇବା ସହ ସଂସଦୀୟ ଗଣତନ୍ତ୍ରର ସିଦ୍ଧାନ୍ତକୁ ଅଣଦେଖା କରୁଥିବା ରାଜ୍ୟ ସଭାରେ ବିରୋଧୀ ସଦସ୍ୟମାନେ ଅଭିଯୋଗ ଆଣିଥିଲେ। ଗଣତନ୍ତ୍ର ଅର୍ଥ ସଂଖ୍ୟାଗରିଷ୍ଠଙ୍କ ଅତ୍ୟାଚାରରୁ ସୁରକ୍ଷା ଦେବା ବୋଲି ସମ୍ବିଧାନ ପ୍ରଣେତା ବି.ଆର୍‌. ଆମ୍ବେଡ୍‌କରଙ୍କ ଉକ୍ତିକୁ ଉଦ୍ଧାର କରି ଆର୍‌ଜେଡି ସଦସ୍ୟ ମନୋଜ କୁମାର ଝା କହିଥିଲେ।
ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଦେଶରେ ଗୋଟିଏ ଦଳର ଏକଚ୍ଛତ୍ରବାଦ ଚାଲିଛି ଏବଂ ବିରୋଧୀ ଦଳ ଶାସିତ ରାଜ୍ୟଗୁଡ଼ିକରେ ଅସ୍ଥିରତା ସୃଷ୍ଟି ଲାଗି ଉଦ୍ୟମ ହେଉଛି ବୋଲି ଅଭିଯୋଗ କରିଥିଲେ। ବିରୋଧୀ ନେତାଙ୍କୁ ଟାର୍ଗେଟ କରି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର କରାଯାଉଥିବା ସେ କହିଥିଲେ। ବିଭିନ୍ନ ଦଳର ଏମ୍‌ପିମାନଙ୍କ ମଧ୍ୟରେ ଭ୍ରାତୃଭାବ ଏବଂ ପାରସ୍ପରିକ ସମ୍ମାନ ରହିବା ଆବଶ୍ୟକ ବୋଲି ତୃଣମୂଳ କଂଗ୍ରେସ ସଦସ୍ୟ ସୁଦୀପ୍‌ ବନ୍ଦୋପାଧ୍ୟାୟ କହିଥିଲେ।

Share