ପିକ୍‌ନିକ୍‌ ହେଲା କାଳ: ନଦୀରେ ବୁଡି ଜଣେ ମୃତ

ରାଉରକେଲା ଅଫିସ/ନୂଆଗାଁ,୧୦।୧: ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ନୂଆଗାଁ ବ୍ଲକ ଅନ୍ତର୍ଗତ କୋଏଲ ନଦୀର ତେତେରକେଲା ଘାଟରେ ରବିବାର ଅପରାହ୍ନରେ ଘଟିଛି ଅଘଟଣ। ପିକ୍‌ନିକ୍‌ କରିବାକୁ ଯାଇ ଗାଧୋଇବାବେଳେ ନଦୀରେ ୨ଜଣ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ବିକି ଶର୍ମା(୧୭)ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୀପକ ଖଣ୍ଡୁଆଳ(୨୨)ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଘର ରାଉରକେଲା ଟିମ୍ବର କଲୋନୀ ଅଞ୍ଚଳରେ।
ସକାଳେ ଟିମ୍ବର କଲୋନୀ ଅଞ୍ଚଳରୁ ୯ଜଣ ସାଙ୍ଗହୋଇ କୋଏଲ ନଦୀର ତେତେରକେଲା ଘାଟକୁ ପିକ୍‌ନିକ୍‌ କରିବାକୁ ଯାଇଥିଲେ। ଅପରାହ୍ନରେ ଭୋଜି ଖାଇଥିଲେ। ପରେ ସେମାନେ ଗାଧୋଇବାକୁ ପାଣିରେ ପଶିଥିଲେ। ଗାଧୋଇବା ସମୟରେ ଗୋଡ଼ ଖସିଯିବାରୁ ବିକି ଓ ଦୀପକ ପାଣିରେ ବୁଡ଼ିଯାଇଥିଲେ। ୯ଜଣଙ୍କ ମଧ୍ୟରୁ ଜଣେ ପହଁରି ଜାଣିଥିଲେ। ସେ ଦୀପକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। କିନ୍ତୁ ବିକିଙ୍କୁ ଉଦ୍ଧାର କରାଯାଇ ପାରି ନ ଥିଲା। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବିକିଙ୍କ ମୃତଦେହ ଜବତ କରିଛି।

 

Share