
ଦେବଗଡ,୨।୪(ଶଶାଙ୍କ ଶେଖର ଝାଙ୍କର):ବାରକୋଟ ଥାନା ବିଦେଇବଡକୁଦର ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଏକ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ବାରକୋଟ ଥାନା ବଳିତା ଗ୍ରାମର ସୋନୁ ବାନାର୍ଜୀ ଓ କଲା ଗ୍ରାମର ବିଚିତ୍ରା ନାୟକ ଏକ ବାଇକ ଯୋଗେ ବମ୍ପରଡା ପଟୁ ବାରକୋଟ ଅଭିମୁଖେ ଆସୁଥିବାବେଳେ ଭାରସାମ୍ୟ ହରାଇ ରାସ୍ତା ଉପରେ ଛିଡା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲେ । ତେବେ ଉକ୍ତ ବ୍ୟକ୍ତି ଜଣକ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ସୋନୁ ଏବଂ ବିଚିତ୍ରା ରାସ୍ତା ଉପରେ ଛିଟିକି ପଡିଥିଲେ। ଫଳରେ ସୋନୁ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେହିପରି ବିଚିତ୍ରା ସାମାନ୍ୟ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ସୋନୁଙ୍କୁ ଉଦ୍ଧାର କରି ସ୍ଥାନୀୟ ପ୍ରଥମେ ବାରକୋଟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଅଧିକ ଚିକିତ୍ସା ନିମନ୍ତେ ସେଠାରୁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଅବସ୍ଥା ଅତି ଗୁରୁତର ଥିବାରୁ ବୁର୍ଲା ଡାକ୍ତରଖାନା ପଠା ଯାଇଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଫଳରେ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କ ଶବ ଫେରାଇ ଆଣିଥିଲେ। ବାରକୋଟ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ।