Categories: ଜାତୀୟ

କାହାର ପତ୍ନୀଙ୍କ ଜନ୍ମଦିନ ଥିଲା ତ କିଏ ପିଲାଙ୍କୁ ଭେଟିବାକୁ ଗଣୁଥିଲେ ଦିନ…ଆଖି ଓଦା କରୁଛି ଡୋଡା ଶହୀଦଙ୍କ କାହାଣୀ…

ଜମ୍ମୁ,୧୭।୭: ଜମ୍ମୁ-କଶ୍ମୀରର ଡୋଡୋ ଜିଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ଅଧିକାରୀଙ୍କ ସହ ୫ ଯବାନ ଶହୀଦ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଯବାନ ବିଜେନ୍ଦ୍ର ସିଂ। ସେ ନିଜ ଘରକୁ କରିଥିବା ଅନ୍ତିମ କଲ୍‌ରେ ପତ୍ନୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ। ସେ ରାଜସ୍ଥାନର ଝୁଝୁନୁ ଜିଲାର ବାସିନ୍ଦା ଥିଲେ। କଲ୍‌ ରଖିବା ସମୟରେ ସେ ଶୀଘ୍ର ଘରକୁ ଫେରିବେ ବୋଲି କହିଥିଲେ। ଶହୀଦ କ୍ୟାପଟେନ ବ୍ରିଜେଶ ଥାପା ରବିବାର ସକାଳେ ସିଲିଗୁଡ଼ିରେ ଥିବା ମା’ଙ୍କ ସହ କଥା ହୋଇଥିଲେ। ସେ ଏକ ଅପରେଶନରେ ଯାଉଥିବା ମା’ଙ୍କୁ କହିଥିଲେ। ସେହିଭଳି ଶହୀଦ ହୋଇଥିବା ଅଜୟ ସିଂ ଜୁଲାଇ ୨୦ରେ ଘରକୁ ଆସିବେ ବୋଲି କହିଥିଲେ। ହେଲେ ପ୍ରତିଶ୍ରୁତି ଅଧାରେ ରହିଯାଇଛି।

ଶହୀଦ ଅଜୟଙ୍କ ଦାଦା ଓମ ପ୍ରକାଶ ରାଜସ୍ଥାନ ପୋଲିସରେ କାର୍ଯ୍ୟରତ। ସେ କହିଛନ୍ତି ଯେ, କାଲି ସେ ଘରକୁ ଫୋନ କରି କହିଥିଲେ ଯେ ସେ ଠିକ୍‌ ଅଛନ୍ତି ଏବଂ ସେନାର ଅପରେଶନ ଚାଲିଛି। ଏଠାରେ ଝଗଡ଼ା ହେଉଛି। ଟିଭି ଦେଖୁଛନ୍ତି ତେଣୁ ସବୁକିଛି ଜଣା ଥିବ। ହେଲେ ଆଜି ସକାଳୁ ବାପାଙ୍କୁ ସେନାରୁ ଫୋନ ଆସିଛି ଯେ ସେ ଶହୀଦ ହୋଇଛନ୍ତି।

ଶହୀଦ ଯବାନ ବିଜେନ୍ଦ୍ରଙ୍କ ପରିବାର କହିଛନ୍ତି ଯେ ସେ ନିଜ ପତ୍ନୀ ଏବଂ ଦୁଇ ପୁଅଙ୍କ ପାଖକୁ ଆସିବାକୁ ଉତ୍ସୁକ ଥିଲେ। ଶେଷ ସମୟ ଯାଏ ସେ ଚେଷ୍ଟା କରିଥିଲେ ହେଁ ଛୁଟି ମିଳି ନ ଥିଲା।

ବିଜେନ୍ଦ୍ରଙ୍କ ପରିବାରର କିଛି ଲୋକଙ୍କୁ ଏଯାଏ ତାଙ୍କର ଶହୀଦ ଖବର ଦିଆଯାଇନାହିଁ। ସ୍ତ୍ରୀ ଅଙ୍କିତାଙ୍କୁ ସେ ଆଇସିୟୁରେ ଥିବା କୁହାଯାଇଛି। ମା’ଙ୍କୁ ମଧ୍ୟ ଏଯାଏ ଖବର ଦିଆଯାଇନାହିଁ।

ଯବାନ ଅଜୟ ସିଂ ଶେଷଥର ପ୍ରାୟ ୩ ମାସ ପୂର୍ବରୁ ଘରକୁ ଆସିଥିଲେ। ତାଙ୍କର ଦୁଇ ବର୍ଷ ପୂର୍ବେ ବିବାହ ହୋଇଥିଲା। ହେଲେ କୌଣସି ସନ୍ତାନ ନାହିଁ। ତାଙ୍କ ସାନ ଭାଇ କରଣ ବୀର ଏମ୍‌ବିବିଏସ୍‌ କରୁଛନ୍ତି।

Share